
ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଇଦ୍ଭିଦ ପରିଷଦ, ଓଡ଼ିଶା ଦ୍ୱାରା ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆସନ୍ତା ୧୦ ତାରିଖରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆ, ୟୁନିଟ-୩, ଭୁବନେଶ୍ୱର ଠାରେ ଆୟୋଜିତ ହେବ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଂଟିଆ ଏହାର ଉଦଘାଟନ କରିବେ।
ଚଳିତ ବର୍ଷ ମେଳାରେ ୧୩୦ଟି ଷ୍ଟଲ୍ ଖୋଲାଯିବ ଓ ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ମୋଟ ୨୬୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ । ଏଥି ସହିତ ରାଇରଙ୍ଗପୁର, କେନ୍ଦୁଝର ଓ ମାଲକାନଗିରିରେ ଚଳିତ ବର୍ଷ କ୍ଷେତ୍ରୀୟ କଳିଙ୍ଗ ହର୍ବାଲ ମେଳା ମଧ୍ୟ ଆୟୋଜିତ ହେବ, ଯାହା ସ୍ଥାନୀୟ ଡିଏଫଓ ମାନଙ୍କ ଦ୍ୱାରା ପରିଚାଳିତ ହେବ। ଉଦ୍ଘାଟନୀ ଉତ୍ସବରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ସୁରେଶ ପନ୍ଥ, ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ପ୍ରେମ କୁମାର ଝା ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ, ଔଷଧୀୟ ଉଦ୍ଭିଦ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ତିକ ଭି ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।
ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଔଷଧୀୟ ଉଦ୍ଭିଦ କ୍ଷେତ୍ରର ମୁଖ୍ୟ ହିତାଧୁକାରୀମାନଙ୍କ ମଧ୍ୟରେ ସମ୍ପର୍କ, ବ୍ୟବସାୟ, ଶିକ୍ଷା, ଓ ସଚେତନତା ବୃଦ୍ଧି କରିବା: ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥୁର ପ୍ରଚାର କରିବା ଏବଂ ଦର୍ଶକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ । ଗତ ବର୍ଷ ଡାବର, ଇମାମି, ଆର୍ଯା ବୈଦ୍ୟଶାଳା କୋଟ୍ଟାକାଲ, ବୈଦ୍ୟନାଥ, ମୁଲତାନି ଏବଂ ବେସିକ୍ ଆୟୁର୍ବେଦ ଭଳି ଜଣାଶୁଣା କମ୍ପାନୀମାନେ ଅଂଶଗ୍ରହଣ କରିଥିଲେ ଓ ମୋଟ ବ୍ୟବସାୟ ୧,୦୨,୮୯,୬୦୦ /- ହୋଇଥିଲା । ଚଳିତ ବର୍ଷ ବୃହତ୍ତର ଅଂଶଗ୍ରହଣ ସହିତ ବ୍ୟବସାୟ ୨ କୋଟି ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।
ମେଳା ସମୟରେ ବିଭିନ୍ନ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ ୧୧ ଡିସେମ୍ବର ପୂର୍ବାହ୍ନ ୧୧ ଟାରୁ ୨ଟା ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଔଷଧୀୟ ଉଦ୍ଭିଦ କୁଇଜ୍ । ୧୨ ଡିସେମ୍ବର ମଧ୍ୟାନ୍ମ ୧୨ ଟାରୁ ୨ ଘଟିକା ରେ ନାରୀ ସମ୍ମିଳନୀ (ରୁଫଟପ୍ ପୋଷକ ବଗିଚା) । ୧୩ ଡିସେମ୍ବର ମଧ୍ୟାହ୍ନ ୧୨ ରୁ ୨ ଘଟିକା ସମୟରେ ଅଂଶଗ୍ରହଣକାରୀଙ୍କ ପାଇଁ ତର୍କ ପ୍ରତିଯୋଗିତା । ୧୪ ଡିସେମ୍ବର ପୂର୍ବାହ୍ନ ୧୦ ରୁ ୨ ଘଟିକା ମଧ୍ୟରେ ଔଷଧୀୟ ଉଦ୍ଭିଦ ଚାଷୀ ସମ୍ମିଳନୀ । ୧୫ ଡିସେମ୍ବର ପୂର୍ବାହ୍ନ ୧୧ ରୁ ୨ ଘଟିକା - ପାରମ୍ପରିକ ଚିକିତ୍ସକ କର୍ମଶାଳା ଆୟୋଜନର କାର୍ଯ୍ୟକ୍ରମ ରହିଛି ।
୧୦ ରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟା ୭ ଘଟିକାରୁ ରାତି ୯ ଘଟିକା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ସହିତ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥ୍ ଡାକ୍ତରମାନଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କୁଇଜ୍ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ସମସ୍ତଙ୍କୁ ଏହି ବୈଜ୍ଞାନିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ସମୃଦ୍ଧ କରିବାକୁ ଆୟୋଜିତ ଉତ୍ସବରେ ସକ୍ରିୟ ଭାବରେ ଯୋଗଦାନ କରିବା ପାଇଁ ଓଡ଼ିଶା ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ଼ ପକ୍ଷରୁ ନିବେଦନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା