ବିଜେପି ରାଜ୍ୟ ସଭାପତିଙ୍କ ପ୍ରତି ବୁଲୁଙ୍କ କଟୁ ମନ୍ତବ୍ୟକୁ ନେଇ ଲୁଲୁଙ୍କ ସାମ୍ବାଦିକ ସମ୍ମିଳନୀ, ବରପଦା ଇଂଜିନିୟରିଂ କଲେଜ ବିରୁଦ୍ଧରେ ହେଉଥିବା ଅପପ୍ରଚାର ସଂପୂର୍ଣ୍ଣ ଭିତିହୀନ
ଭଦ୍ରକ, ୮ ଡିସେମ୍ବର (ହି.ସ.) - ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ତଥା କଂଗ୍ରେସର ନେତା ଅସିତ୍ ପଟ୍ଟନାୟକ (ବୁଲୁ) ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଇଂ ପ୍ରୟାସକାନ୍ତି ସାମଲ (ଲୁଲୁ) ବିଜେପିରେ ମିଶି
LULU SAMAL NKA PRESS MEET


ଭଦ୍ରକ, ୮ ଡିସେମ୍ବର (ହି.ସ.) - ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ତଥା କଂଗ୍ରେସର ନେତା ଅସିତ୍ ପଟ୍ଟନାୟକ (ବୁଲୁ) ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଇଂ ପ୍ରୟାସକାନ୍ତି ସାମଲ (ଲୁଲୁ) ବିଜେପିରେ ମିଶିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ। ସେ ତାଙ୍କ ମନ୍ତବ୍ୟରେ ଲୁଲୁ ମିଶିବା ପଛରେ ବିଜେପି ସହ ଏକ ବଡ ଡିଲ୍ ହୋଇଥିବା ସହ ବରପଦା ଇଂଜିନିୟରିଂ କଲେଜ କ୍ଷେତ୍ରରେ ଇଡି ଭୟ ରହିଥିବାରୁ ସେଥିରୁ କ୍ଲିନ୍ ଚିଟ୍ ପାଇବା ନେଇ ଏଭଳି ମିଶ୍ରଣ ହୋଇଥିବା ବିଷୟ କହିଥିଲେ। ଏବଂ ଲୁଲୁ ମିଶିବା ନେଇ ଭଦ୍ରକରେ କଂଗ୍ରେସ କଳା ଦିବସ ପାଳନ କରିବ ବୋଲି କହିଥିଲା। ତେବେ ବୁଲୁଙ୍କର ଏହି ସାମ୍ବାଦିକ ସମ୍ମିଳନୀର ଜବାବରେ ଆଜି ଲୁଲୁ ଭଦ୍ରକର ଏକ ହୋଟେଲରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ବୁଲୁ ପଟ୍ଟନାୟକ କଳା ଦିବସର ସଂଜ୍ଞା କ’ଣ ଜାଣିନଥିବାର କହିଛନ୍ତି। ଏବଂ ରଙ୍ଗଲତା ଧର୍ଷଣ ଘଟଣା ଆରମ୍ଭ କରି ବିଜେଡିକୁ ଧୋକା ଦେଇ କଂଗ୍ରେସକୁ ଯିବା ଏବଂ ଅତୀତରେ ଭଦ୍ରକରେ ଦଙ୍ଗା ଭିଆଇବା ପଛରେ ବୁଲୁ ଓ ତାଙ୍କ ପରିବାରର ସଂପୃକ୍ତିକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ରଙ୍ଗଲତା ଧର୍ଷଣ ଓ ଭଦ୍ରକ ଦଙ୍ଗା ଘଟାଇବା ଭଳି ଦିବସକୁ କଳା ଦିବସ ନକହି ସେ ବିଜେପିରେ ମିଶିବାଟାକୁ କଳା ଦିବସ କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ବିଶେଷକରି ବୁଲୁ ରାଜ୍ୟ ବିଜେପିର ଜଣେ ସମ୍ମାନସ୍ପଦ ସଭାପତି ତଥା ରାଜ୍ୟ ଓ ଭଦ୍ରକର ଗୌରବ ମନମୋହନ ସାମଲଙ୍କ ବିରୁଦ୍ଧରେ ଯେଭଳି ଡିଲ୍ ଶବ୍ଦ ଉଚ୍ଚାରଣ କରିଛନ୍ତି, ତାହା ଧର୍ଷଣକାରୀ ଓ ଦଙ୍ଗାକାରୀ ଭଳି ବ୍ୟକ୍ତିର ମୁହଁରେ ଶୋଭା ପାଏନାହିଁ ବୋଲି ସେ କଟାକ୍ଷ କରିଛନ୍ତି। ଏବଂ ବୁଲୁଙ୍କର ଏହିସବୁ କଳା କାରନାମା ଯୋଗୁଁ ତାଙ୍କୁ ନବୀନ ପଟ୍ଟନାୟକ ବିଗତ ଦିନରେ ଟିକେଟ ଦେବାରୁ ବଂଚିତ କରିଥିବା ବିଷୟ ସୂଚାଇଥିଲେ। ବରପଦା ଇଂଜିନିୟରିଂ କଲେଜର ଦୁର୍ନୀତିକୁ ନେଇ ସେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଏବେ ମାନ୍ୟବର ଅଦାଲତ ଦେଇଥିବା ରାୟରେ ମିଥ୍ୟା ପ୍ରମାଣିତ ହୋଇଛି। ଏଣୁ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ସେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ବିରୁଦ୍ଧରେ କରିଥିବା ମିଥ୍ୟା ଅଭିଯୋଗର ଉତରରେ ସେ ଆଜି ବୁଲୁ ପଟ୍ଟନାୟକ କଳା ଦିବସର ସଜ୍ଞା ଜାଣନ୍ତିନାହିଁ ବୋଲି କହି ଭଦ୍ରକବାସୀ ଏହାର ଉଚିତ୍ ଜବାବ ଦେବାର ସୂଚାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ଛାଡି ବିଜେପିରେ ନୂତନ ଭାବେ ସାମିଲ ହୋଇଥିବା ଯୁବନେତା ପ୍ରକାଶଜ୍ୟୋତି ମହାକୁଡ ଉପସ୍ଥିତ ଥିଲେ। ଅପରପକ୍ଷେ ବରପଦା ଇଂଜିନିୟରିଂ କଲେଜ (ବିଏସ୍‌ଇଟି) ସୋସାଇଟି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଆଜି କଲେଜର ଅଧ୍ୟକ୍ଷମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗତ କିଛିଦିନ ଧରି କଲେଜ ବିରୁଦ୍ଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଯେଉଁ ଅପପ୍ରଚାର କରାଯାଉଛି, ତାହା ସତ୍ୟ ଉପରେ ଆଧାରିତ ନୁହେଁ ବୋଲି କୁହାଯାଇଛି। ଏହି ଅପପ୍ରଚାର ଯୋଗୁଁ ଅନୁଷ୍ଠାନର ବହୁ କ୍ଷତି ହେଉଥିବାବେଳେ କଲେଜର କର୍ମଚାରୀମାନେ ଦରମା ନପାଇବା ସଂପୂର୍ଣ୍ଣ ଭିତିହୀନ ବୋଲି ଦର୍ଶାଯାଇଛି। ଅଧ୍ୟକ୍ଷମାନେ ଦେଇଥିବା ସୂଚନା ଅନୁସାରେ ଜିଲାପାଳ, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହିତ ଗତ ୨୦୨୪ ସେପ୍ଟେମ୍ବର ୨୨ ତାରିଖରେ ହୋଇଥିବା ଏଗ୍ରିମେଂଟ ଅନୁସାରେ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ଦରମା ପ୍ରଦାନ କରାଯାଇଛି। ବିଶେଷକରି ଅଗଷ୍ଟ ୨୦୨୪ ରୁ ୨୦୨୫ ଏପ୍ରିଲ ୧୪ ପର୍ଯ୍ୟନ୍ତ କିଛି କର୍ମଚାରୀ ଦୈନନ୍ଦିନ କାର୍ଯ୍ୟ ବନ୍ଦ କରି କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ। ଯଦିଓ କିଛି କର୍ମଚାରୀ ଓ ଅଧିକାରୀ ସେ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥିଲେ। ଏହି ଧାରଣା ସମୟରେ ମାସିକ ଦରମା ନୋ ୱାର୍କ ନୋ ପେ ଭିତିରେ ପ୍ରଦାନ କରାଯାଇନାହିଁ। ତେବେ ଯେଉଁ କର୍ମଚାରୀ ଓ ଅଧିକାରୀମାନେ ସେ ସମୟରେ ଆଡମିଶନ ଓ ଏକ୍‌ଜାମିନେସନରେ କାର୍ଯ୍ୟ କରିଥିଲେ, ସେମାନଙ୍କ ଦରମା ବିଷୟରେ ଜିଲାପାଳଙ୍କ ସହ ଆଲୋଚନା କରି ଉପଯୁକ୍ତ ନିଷ୍ପତି ନିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ କିଛି ବିଶୃଙ୍ଖଳିତ ଓ ନିଲମ୍ବିତ କର୍ମଚାରୀ ଗଣମାଧ୍ୟମରେ ଯେଉଁ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି, ତାହା ସଂପୂର୍ଣ୍ଣ ଭିତିହୀନ। ଭଦ୍ରକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏବେ ଏହି ସୋସାଇଟି ପରିସରରେ ଶିଳ୍ପ ବିଭାଗ ଅଧୀନରେ ଥିବା ୨୦ ଏକର ଜମି ଓ ସୋସାଇଟିର ନିଜସ୍ୱ ୫ ଏକର ଜମି ସରକାରଙ୍କୁ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯାହା ଏବେ ସରକାରଙ୍କ ବିଚାରାଧୀନରେ ରହିଛି। ଏହା ପ୍ରତିଷ୍ଠା ହେଲେ ସ୍ଥାନୀୟ ବରପଦା ଗ୍ରାମବାସୀ ଉପକୃତ ହେବା ସଂଗେ ସଂଗେ ସୋସାଇଟି ମଧ୍ୟ ଉପକୃତ ହେବ। ଏଣୁ ଯେଉଁ ମିଥ୍ୟା ପ୍ରଚାର ଚାଲିଛି ଓ କିଛି କର୍ମଚାରୀ ପିଏମ୍‌ଜିରେ ଧାରଣାରେ ବସିଛନ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା ଓ ଗୁଜବ ଅଟେ। ଏଭଳି ଅପପ୍ରଚାର ଫଳରେ କଲେଜର ସମ୍ମାନରେ ଆଂଚ ଆସୁଥିବାରୁ ପୂର୍ବଭଳି ପିଲାମାନେ ଏଠାରେ ଅଧ୍ୟୟନ କରିବାକୁ ଆସୁନାହାଁନ୍ତି। ତେଣୁ ଏହାର ପୂର୍ବ ପ୍ରତିଷ୍ଠା ଫେରିବା ନେଇ ଏଭଳି ଅପପ୍ରଚାର ପ୍ରତି କେହି କର୍ଣ୍ଣପାତ ନକରିବାକୁ ଅଧ୍ୟକ୍ଷ ଡ. ମୋହନ ଚନ୍ଦ୍ର ପଣ୍ଡା, ଡ. ଦିଲ୍ଲୀପ କୁମାର ସାହୁ, ଡ. ଗଂଗାଧର ଧଳ ଓ ଡ. ପ୍ରଜ୍ଞା ପାରମ୍ବିକା ରାୟ ପ୍ରମୁଖ ନିବେଦନ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande