

ସମ୍ବଲପୁର, ୦୮, ଡିସେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ତଥା ଓଟିଭି ପ୍ରତିନିଧି ରମାକାନ୍ତ ମହାନନ୍ଦ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି l ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । କାରଣ ଖବର ସଂଗ୍ରହ ଓ ପ୍ରସାରଣ କ୍ଷେତ୍ରରେ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରର ସମସ୍ତଙ୍କ ସହ ରମାକାନ୍ତ ଉତ୍ତମ ସମନ୍ୱୟ ଓ ସୁସମ୍ପର୍କ ରଖି ଆସୁଥିଲେ । ବ୍ଯକ୍ତିଗତ ସମ୍ପର୍କରେ ସେ ଯେ କେବଳ ସ୍ପଷ୍ଟବାଦୀ ନୁହନ୍ତି, ବନ୍ଧୁବତ୍ସଳ, ସ୍ନେହୀ ଓ ମେଳାପୀ ମଧ୍ୟ ଥିଲେ । ତାଙ୍କ ବିୟୋଗ ଖବର ମିଳିବା ପରେ କେଵଳ ଗଣମାଧ୍ୟମ ନୁହେଁ ବିଭିନ୍ନ ରାଜନୈତିକ ନେତା, ବ୍ୟବସାୟୀ ଓ ବୁଦ୍ଧିଜୀବୀ ମହଲରେ ଶୋକରେ ଛାୟା ଖେଳିଯାଇଛି।
ରେଢାଖୋଲର ଯୁବ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଦକ୍ଷ, ସାହସୀ ଏବଂ ନିଷ୍ଠାପର ସାମ୍ବାଦିକ ଥିଲେ ବୋଲି ସମ୍ବଲପୁର ସାଂସଦ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଜରିଆରେ ଦେଇଥିବା ଶୋକବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ , ଯୁବ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଦକ୍ଷ, ସାହସୀ ଏବଂ ନିଷ୍ଠାପର ସାମ୍ବାଦିକ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମାଁ’ ସମଲେଇ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ମଧ୍ୟ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାମନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ