
ସମ୍ବଲପୁର, ୦୮, ଡିସେମ୍ବର (ହି.ସ.) ପଶ୍ଚିମ ଓଡିଶା ଦିବ୍ୟ ଜୀବନ ସଂଘ ସମନ୍ବୟ ସମିତି ତରଫରୁ ସମ୍ବଲପୁର ଶାଖାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆସନ୍ତା ଡ଼ିସେମ୍ବର ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀ ଏବଂ ଦିବ୍ୟ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଦିବ୍ୟ ଜୀବନ ସଂଘ ଆନ୍ତର୍ଜାତିକ ମୁଖ୍ୟ କାର୍ଯ୍ୟାଳୟ ଋଷିକେଶରୁ ପୂଜ୍ୟ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ, ଉପସଭାପତି ଏବଂ ପୂଜ୍ୟ ସ୍ବାମୀ ଅଦୈତାନନ୍ଦ ସରସ୍ୱତୀ, ସାଧାରଣ ସଂପାଦକଙ୍କ ସମେତ ବହୁ ବରିଷ୍ଠ ସନ୍ଥ, ସାଧକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେବାପାଇଁ ସ୍ବୀକୃତ ପ୍ରଦାନ କରିଛନ୍ତି। ଏହି ଅବସରରେ ଏକ ସ୍ମରଣିକା ତଥା ଅନେକ ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି।
ଏହି ତ୍ରିଦିବସୀୟ ସମ୍ମିଳନୀରେ ବିଭିନ୍ନ ଦିବ୍ୟ ଜୀବନ ସଂଘ ଶାଖାରୁ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗଦେବେ ବୋଲି ଆଧ୍ୟାତ୍ମିକ ସମ୍ମିଳନୀ ଆବାହକ ଡ଼. ମୀନକେତନ ପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମ୍ମିଳନୀର ଦ୍ବିତୀୟ ଦିବସ ୧୪ ତାରିଖ ପୂର୍ବାହ୍ନ ଅଧିବେଶନରେ ଗଜପତି ମହାରାଜା ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବେ। ଏହା ବ୍ୟତୀତ ୧୪ ତାରିଖ ଓ ୧୫ ତାରିଖ ସକାଳ ୬ଟା ୩୦ ରୁ ୭ଟା ୩୦ରେ ଛାତ୍ରଛାତ୍ରୀ ଓ ଶିବିରାର୍ଥୀଙ୍କ ନିମନ୍ତେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଆଧ୍ୟାତ୍ମିକ ସମ୍ମିଳନୀର ଶେଷ ଦିବସ ୧୫ ତାରିଖ ସକାଳ ୭ଟା ରେ ଭକ୍ତମାନଙ୍କୁ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ ମହାରାଜ ମନ୍ତ୍ରଦୀକ୍ଷା ଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦିବ୍ୟ ଜୀବନ ସଂଘ ଡୁଙ୍ଗରିପାଲି ଶାଖା ସଭାପତି ଲକ୍ଷ୍ମୀଧର ନାୟକ, ବରଗଡ ଶାଖା ସଭାପତି ରବିନ୍ଦ୍ର ନାଥ ପ୍ରଧାନ, ବଲାଙ୍ଗୀର ଶାଖା ସମ୍ପାଦକ ରଘୁନାଥ ବାବୁ, ଆଧ୍ୟାତ୍ମିକ ସମ୍ମିଳନୀ କୋଷାଧ୍ୟକ୍ଷ ଧ୍ୟାନଦେବ ଡ଼ନସନା ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ