
ପୁରୀ, ୮ ଡିସେମ୍ବର (ହି.ସ.)- ଖୁବ୍ ଶୀଘ୍ର ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢାଯିବ ବାଲି । ଏନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ମନ୍ଦିର କାନ୍ଥରେ ୧୬ ସେ.ମି.ର ଗର୍ତ ଖୋଳିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଡ୍ରିଲ୍ କରି ହୋଲ୍ କରାଯିବ । ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ଦିନ ମଧ୍ୟରେ ହୋଲ୍ କାର୍ଯ୍ୟ ଶେଷ ହେବ । ଗର୍ଭଗୃହ ଭିତରେ ଥିବା ବାଲିର ସ୍ଥିତି ଏବଂ ପଥରର ଅବସ୍ଥା ଦେଖି ପର୍ଯ୍ୟାୟ କ୍ରମେ ବାଲି ବାହାର କରାଯିବ । ପୂର୍ବରୁ ଗର୍ଭଗୃହର ଉପରଭାଗରୁ ଗର୍ତ କରାଯାଇ ରୋବୋଟିକ୍ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏବେ ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିର ପଶ୍ଚିମ ପାଶ୍ୱର୍ରେ ୮୦ ଫୁଟ୍ ଉଚ୍ଚତାରେ ୧୬ ସେ.ମି.ର ଏକ କ୍ଷୁଦ୍ର ଟନେଲ ନିର୍ମାଣ ହେବ ।
ପ୍ରକାଶ ଥାଉକି, ଗତକାଲି ଏଏସଆଇ ଆଂଚଳିକ ନିର୍ଦ୍ଦେଶକଙ୍କ ସହିତ ୧୦ ଜଣିଆ ବୈଷୟିକ କୋର୍ କମିଟି କୋଣାର୍କ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ।୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱର ଐତିହ୍ୟ କାରୁକାର୍ଯ୍ୟଭରା କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହକୁ ୧୯୦୩ ମସିହାରେ ବାଲି ଭର୍ତି କରି ଏହାକୁ ବନ୍ଦ କରି ଦିଆଯାଇଥିଲା । ସେତେବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଏପରି କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ