
ମାଲକାନଗିରି, ୮ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ରାଖେଲଗୁଡା ଗ୍ରାମର ଲାକେ ପଡ଼ିଆମୀ ନାମକ ମହିଳାଙ୍କ ଗତ ୪ ତାରିଖ ଦିନ ନଦୀରୁ ମୁଣ୍ଡ ବିହୀନ ଶବ ମିଳିବାପରେ ଏମଭି ୨୬ ଓ ରାଖେଲଗୁଡା ଗ୍ରାମବାସୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିଲା। ହେଲେ
ଗତକାଲି ଏହା ଉଗ୍ରରୂପ ନେଇଥିଲା। ଏମଭି-୨୬ ଗାଁରେ ଗୋଟିଏ ଗୋଷ୍ଠୀ ଘର ଭାଙ୍ଗିବା ସହ ଘରକୁ ନିଆଁ ଲଗାଇ ଜାଳିଦେଇଛନ୍ତି। ଏମଭି-୨୬ ଗ୍ରାମରେ ପୁଲିସ ଛାଉଣୀ। ଗାଁ ଛାଡି ଲୋକେ ଅନ୍ୟତ୍ର ଚାଲିଗଲେ। ପୁଲିସ ପହଂଚି ସ୍ଥିତି ନିୟନ୍ତ୍ରଣାଧୀନ କରିଥିବା ବେଳେ ଆଜି ପୁଣି ବଢିଛି ଉତ୍ତେଜନା। ଗୋଟିଏ ଗୋଷ୍ଠୀର ଲୋକ ରାଖେଲଗୁଡା ନଦୀ କୂଳରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକତ୍ରିତ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ମାଲକାନଗିରି ସଦର ମହକୁମାରେ ଏକତ୍ରିତ ହୋଇଛନ୍ତି। ହେଲେ ଆଜି ପୁଣି ଏମଭି ୨୬ ଗ୍ରାମରେ ହଜାର ହଜାର ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ବହୁ ଘର ଭଙ୍ଗାରୁଜା କରିଥିବା ବେଳେ ଆଉ କିଛି ଲୋକ ଏମଭି-୧୮ ଗାଁ ରେ ପଶି ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ କରୁଥିବା ଜାଣି ପୁଲିସ ପହଂଚି ସେମାନଙ୍କୁ ଅଟକାଇଛି। ତେବେ ଜିଲ୍ଲାରେ ଉତ୍ତେଜନା ବଢୁଛି। ଶାନ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଗୋଷ୍ଠୀଙ୍କୁ ଡକାଯାଇଛି। ଏସପି ବିନୋଦ ପାଟିଲ ଏବଂ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଧ୍ୟ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ