
କେନ୍ଦ୍ରାପଡା, ୮ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ପଞ୍ଜିକରଣ ନଥିବା ଶ୍ରମିକ ୟୁନିୟନ ଗୁଡିକ କାମ କରିବା ସହିତ କେତେକ ଦଲାଲ ଏଥିରେ ଲାଭବାନ୍ ହେଉଛନ୍ତି । ଏ ବିଷୟରେ ବାରମ୍ବାର ଶ୍ରମ ଆୟୁକ୍ତ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଅଭିଯୋଗ ହେବାପରେ ଜିଲ୍ଲା ଶ୍ରମ ଅଫିସ କର୍ତୁପକ୍ଷ, ରାଜ୍ୟ ଶ୍ରମ ଆୟୁକ୍ତ ଓ ଜିଲ୍ଲାପାଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ଚାଲିଥିବା ୟୁନିଅନ ଗୁଡିକର କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜିକରଣ ଥିବା ନିର୍ମାଣ ଶ୍ରମିକ ୟୁନିୟନ ଗୁଡିକ ସେଠାରେ ଶ୍ରମିକ ମାନଙ୍କର ବିଭିନ୍ନ ଆବେଦନ କରିପାରିବେ ବୋଲି ଜଣାପଡିଛି । ପଞ୍ଜିକରଣ ଥିବା ନିର୍ମାଣ ଶ୍ରମିକ ୟୁନିଅନର କର୍ମକର୍ତା ମାନେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ଅନୁଭବ କରି ସେମାନଙ୍କୁ ସାହାଯ୍ୟ କରି ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ଦେଉଥିବା ଅନୁଦାନ ଗୁଡିକୁ ଶ୍ରମିକ ମାନଙ୍କ ନିକଟରେ ପହଁଚାଇ ପାରିବେ । ଶ୍ରମ କାର୍ଯ୍ୟାଳୟରେ କୈାଣସି ଦଲାଲ ଭାଗ ନେଇ ଶ୍ରମିକଙ୍କର ଅର୍ଥ ହଡପ କରିପାରିବେ ନାହିଁ ।
ଜିଲ୍ଲାପାଳଙ୍କ ଏହି ଆଦେଶକୁ ପଞ୍ଜିକରଣ କରିଥିବା ନିର୍ମାଣ ଶ୍ରମିକ ୟୁନିୟନର ଗୀତାଞ୍ଜଳୀ ପ୍ରଧାନ, ରମେଶ ପାତ୍ର, ସେକ ଇବରାର୍, ପ୍ରଫୁଲ୍ଲ ଦାସ ପ୍ରମୁଖ ସ୍ୱାଗତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି