
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା
ଅଭିଯୋଗର 91 ପ୍ରତିଶତ ହୋଇଛି ସମାଧାନ । ବିଧାନସଭାରେ
ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଉତ୍ତର ରଖି ତଥ୍ୟ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠକୁ 13,358 ଟି ଅଭିଯୋଗ ଆସିଛି । ଯେଉଁଥିରୁ 12, 432 ଅଭିଯୋଗର ସମାଧାନ ହୋଇ ସାରିଛି । ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ବି ପ୍ରତି ସୋମବାର ଅଭିଯୋଗ
ଶୁଣାଣି କାର୍ଯ୍ୟକ୍ରମ ଚାଲୁଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ନିର୍ଦେଶାଳୟ ସହ ଅନଲାଇନ
ପୋର୍ଟାଲ ମାଧ୍ୟମରେ ବି ଅଭିଯୋଗ ରେଜିଷ୍ଟ୍ରେସନ
କରାଯାଉଛି । ପୂର୍ବରୁ 2008 ରୁ ମୁଖ୍ୟମନ୍ତ୍ରୀଙ୍କ
ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲେ ବି ପୂର୍ବ ସରକାର ସମୟରେ ଏହା ହେଉ ନ ଥିଲା କହିଛନ୍ତି ଆଇନ
ମନ୍ତ୍ରୀ ।
ପୂର୍ବରୁ ଅଫିସର ରାଜ୍ ଚାଲୁଥିବାରୁ ଗ୍ରାଉଣ୍ଡ ସ୍ତରରେ ବ୍ଲକକୁ
ଆସୁଥିବା ଲୋକଙ୍କ ଅଭିଯୋଗ ସମାଧାନ ହେଉ ନ ଥିଲା । ତେଣୁ ସେଗୁଡିକ ସମାଧାନ ପାଇଁ କଣ ପଦକ୍ଷେପ
ନିଆଯାଇଛି ଓ କିଛି ସମୟ ସୀମା ନିର୍ଦ୍ଧାରିତ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ
ଟଙ୍କଧର ତ୍ରିପାଠୀ ।
ଆଇନ ମନ୍ତ୍ରୀ କହିଛନ୍ତି 14 ଲକ୍ଷ 41 ହଜାର 832 ଟି ଅଭିଯୋଗ ଜନ
ଶୁଣାଣି ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଛି । ଏଥିରୁ 13 ଲକ୍ଷ 7 ହଜାର 253ଟି ଅଭିଯୋଗର
ସମାଧାନ ହୋଇଛି । ବାକି ଥିବା 1 ଲକ୍ଷ 34 ହଜାର 579 ଟି ଅଭିଯୋଗ ମଧ୍ୟରୁ
ଅଧିକାଂଶ ଜଟିଳ ଅଛି । ଏହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର ଚାଲିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା