
ଚମ୍ପୁଆ, ୮ ଡିସେମ୍ବର (ହି.ସ.)- ହାତୀ ଦେଖିବାକୁ ଯିବା ଜଣେ ଯୁବକଙ୍କ ପାଇଁ କାଳ ସାଜିଲା। ଯୁବକଙ୍କୁ ହାତୀ ଦଳି ଫୋପାଡ଼ି ଦେବାରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ବେଳେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଚ୍ଚବାଲି ଗାଁ ଜଙ୍ଗଲରେ ଥିବା ୩ ଟିକିଆ ହାତୀପଲଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ଯୁ ଘଟିଛି । ମୃତକ ଭଣ୍ଡା ଗ୍ରାମର ମନୋଜ ମହାନ୍ତଙ୍କ ପୁତ୍ର ସୌମେନ୍ଦ୍ର ମହାନ୍ତ। ସେ ହାତୀ ଦେଖିବାକୁ ସାଙ୍ଗ ମାନଙ୍କ ସହିତ ଉଚ୍ଚବାଲି ଗାଁ କୁ ଯାଇଥିଲେ। ହାତୀ ଦେଖୁଥିବା ବେଳେ ହାତୀ ହଠାତ ଗୋଡେଇବାରୁ ଦୌଡି ପଳାଉଥିବା ବେଳେ ତଳେ ପଡିଯାଇଥିଲେ। ଫଳରେ ହାତୀ ସୌମେନ୍ଦ୍ରଙ୍କୁ ଦଳିଦେବା ସହିତ ଶୁଣ୍ଢରେ ଧରି ଫୋପାଡ଼ି ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବନ ବିଭାଗ ସେଠାରୁ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହାତୀ ନିକଟକୁ ନଯିବା ପାଇଁ ବନବିଭାଗ ତରଫରୁ ବାରମ୍ବାର ନିବେଦନ କରାଯାଉଥିଲେ ମଧ୍ୟ କିଛି ଅମାନିଆ ନିୟମିତ ଭାବେ ହାତୀ ଥିବା ସ୍ଥାନକୁ ଯିବା ସହ ହାତୀଙ୍କୁ ବିରକ୍ତ କରିବା ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଅମାନିଆଙ୍କ ଉପରେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବାରମ୍ବାର ଏପରି ଅଘଟଣ ଘଟୁଥିବା କୁହାଯାଉଛି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହିତ ଅମାନିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta