
କୋରେଇ, ୯ ଡିସେମ୍ବର (ହି.ସ.)- ପାଣିକୋଇଲି ପୁଲିସ ଏକ ନାବାଳିକା ଅପହରଣ ମାମଲାରେ ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରକାଶଯେ, ପାଣିକୋଇଲି ଗ୍ରାମର ଜନୈକା ନାବାଳିକା ନିଖୋଜ ହେବା ସହ ଉକ୍ତ ମାମଲାରେ ଜଣେ ଯୁବକ ସମ୍ପୃକ୍ତ ଥିବା ନେଇ ଥାନାରେ ଗତ ନଭେମ୍ବର ୧ ତାରିଖରେ ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା ୩୫୮/୨୫ ରୁଜ୍ଜୁ କରି ତଦନ୍ତ ଚଳାଇଥିଲା । ଅଭିଯୋଗ ମୁତାବକ ସମ୍ପୃକ୍ତ ଯୁବକକୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଥିଲା । ତଦନ୍ତରୁ ସେମାନେ କେରଳରେ ଥିବା ଖବର ପାଇଥିଲା ପୁଲିସ । ପୁଲିସ ସବଇନ୍ସପେକ୍ଟର ସୁମିତ କୁଜୁରଙ୍କୁ କେରଳ ପଠାଯାଇଥିଲା । ମାତ୍ର ସେଠାରେ ପୁଲିସ ପହଂଚିବା ପୂର୍ବରୁ ନାବଳିକା ଓ ଅପହରଣକାରୀ ଫେରାର ହୋଇଯାଇଥିଲେ । ପୁଲିସ ସେଠାରେ ସପ୍ତାହକାଳ ରହି ତଦନ୍ତକୁ ଘନିଭୂତ କରିଥିଲା । ପରେ ବାଂଗାଲୋର ଯାଇ ସେଠାରେ ଅପହରଣକାରୀ ସହ ଅପହୃତା ନାବାଳିକାକୁ ଉଦ୍ଧାର କରିଥିଲା । ସେମାନଙ୍କୁ ଥାନାକୁ ଆଣିବା ପରେ ନାବାଳିକାର ୧୬୪ରେ ବୟାନ ରେକର୍ଡ କରି ତାକୁ ସ୍ୱଧାର ଗୃହରେ ଛାଡିବା ସହ ଆଜି ଅପହରଣକାରୀ ପାଣିକୋଇଲି ମହାବୀର କଲୋନୀର ଅର୍ଜ୍ଜୁନ ପରିଡାଙ୍କ ପୁଅ ବଳରାମ ପରିଡା (୨୩)କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ତଦନ୍ତାଧିକାରୀ ସବଇନ୍ସପେକ୍ଟର ମିନତୀ ବେହେରାଙ୍କ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ