
ଧର୍ମଶାଳା, ୦୯ ଡିସେମ୍ବର(ହି.ସ.) – ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମରେ ଅଘଟଣ। ବ୍ରାହ୍ମଣୀ ନଦୀରେ ବୁଡି ଶିଶୁ ପୁତ୍ର ମୃତ। ମୃତ ସାଢେ ତିନି ବର୍ଷର ଶିଶୁ ପୁତ୍ର ଜଣକ ହେଲେ ଏହି ଗ୍ରାମର ସୁନିଲ ଦାସଙ୍କ ପୁଅ ମାନସ ବୋଲି ଜଣାପଡିଛି। ଆଜି ସକାଳ ୧୧ଟା ସମୟରେ ଏଭଳି ଅଘଟଣ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପରିବାରକୁ କ୍ଷତିପୂରଣ ସହ ବେଆଇନ ବାଲି ଘାଟକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିବା ନେଇ ବରୁହାଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ଚାନ୍ଦପୁର ବ୍ରାହ୍ମଣୀ ସେତୁ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସେପଟେ ବ୍ରହ୍ମବରଦା ପୁଲିସ ଖବର ପାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପଂହଚି ଘଟଣାର ତଦନ୍ତ ଚଳାଇ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ସୂଚନା ମୁତାବକ, ଆଜି ଦିନ ୧୧ଟା ସମୟରେ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମର ସୁନିଲ ଦାସଙ୍କ ସାଢେ ତିନି ବର୍ଷୀୟ ପୁଅ ମାନସ ଘର ନିକଟରୁ କିଛି ପିଲାମାନଙ୍କ ନଦୀ ବନ୍ଧ ଉପରେ ଖେଳାଖେଳି କରୁଥିଲେ। ତେବେ ସେମାନେ ନଦୀ ଭିତରକୁ ଚାଲି ଯାଇଥିଲେ। କିଛି ସମୟ ପରେ ମାନସ ପାଣି ଗାଢରେ ପଡି ଯାଇଥିଲେ। ତେବେ ଘର ଲୋକେ ଦେଖି ନଦୀ କୂଳକୁ ଯାଇଥିଲେ। ତୁରନ୍ତ ତାଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବ୍ରହ୍ମବରଦା ପୁଲିସ ମୃତ ଦେହକୁ ଜବତ କରିଛି। ଏକ ଅପମୃତ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦକୁ ପାଇଁ ପଠାଇ ଦେଇଛି। ସେପଟେ ଏହି ମୃତ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳର ଉତ୍ୟକ୍ତ ଲୋକେ ଚାନ୍ଦପୁରସ୍ଥ ବ୍ରାହ୍ମଣୀ ସେତୁ ଉପରେ ଟାୟାର ଜାଳି ବରୁହାଁ- ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ମୃତକ ପରିବାରକୁ କ୍ଷତି ପୂରଣ ସହ ସ୍ଥାନୀୟ ଅଂଚଳରେ ବେଆଇନ ବାଲି ଘାଟକୁ ସମ୍ପୁର୍ଣ୍ଣଭାବେ ବନ୍ଦ କରିବା ସହ ଘଟଣାସ୍ଥଳକୁ ଜିଲାପାଳ ଓ ଖଣି ବିଭାଗ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ। ପୂର୍ବାହ୍ନ ୨ଠାରୁ ରିପୋର୍ଟ ଲେଖା ହେବା ଯାଏ ରାସ୍ତା ଅବରୋଧ ରହିଛି। ଫଳରେ ଗାଡି ଚଳଚଳ ସମ୍ପୂର୍ଣ୍ଣଭାବେ ବନ୍ଦ ରହିଛି। ଖବର ପାଇ ଘଟଣାସ୍ଥଳରେ ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରା ଓ ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ପଂହଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଜିଲାପାଳ ଓ ଖଣି ବିଭାଗ ଅଧିକାରୀ ନ ଆସିବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି। ଯାଜପୁର ରୋଡ ଏସ୍?ଡିପିଓ ଘଟଣାସ୍ଥଳରେ ପଂହଚି ଆଲେଚନା କରୁଥିବା ଜଣାପଡିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ