
କନ୍ଧମାଳ , ୯ ଡିସେମ୍ବର (ହି.ସ.)କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ଶ୍ରୀ ମନୋରଞ୍ଜନ ଦାଶ ଆଜି ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ୧୨ ଜଣ ସାକ୍ଷୀ ଡାକ୍ତରୀ ରିପୋର୍ଟ ଓ ପିଡିତାଙ୍କ ବୟାନ ଆଧାରରେ ବିଚାର କରି, ମାମଲାର ଅଭିଯୁକ୍ତ ସୁନୀଲ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରି ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି । ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲାକୁ ପରିଚାଳନା କରୁଥିଲେ। ସୂଚନା ଅନୁସାରେ ଗତ ୨୦୨୦ ମସିହା, ମାର୍ଚ୍ଚ ମାସ ୯ ତାରିଖରେ ପିଡୀତାଙ୍କ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଖଜୁରୀପଡା ଥାନାଧିକାରୀ ଏକ ମାମଲା ୨୫/ ୨୦୨୦ ରଜ୍ଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ବିଚାରପତି ଉକ୍ତ ମାମଲାର ରାୟ ପ୍ରକାଶ କରିଛନ୍ତି। ପିଡୀତାକୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ