
ଜୟପୁର, 9 ଡିସେମ୍ବର (ହି.ସ.)- ସାଇବର କ୍ରାଇମର ଠକ ମାନେ ଦିନକୁ ଦିନ ଲୁଟ କରିବାର ନୁଆ ନୁଆ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। ଏହିପରି ଏକ ସାଇବର କ୍ରାଇମ ଠକେଇର ଶିକାର ହୋଇଛନ୍ତି ଜୟପୁର ଅଞ୍ଚଳର ଯୁବକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଲକ ଅନ୍ତର୍ଗତ ଏଚଡିଏଫସି ବ୍ୟାଙ୍କର ଟାଙ୍କୁଆ ବ୍ରାଞ୍ଚରେ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଫେକ ଆପ୍ଲିକେସନ ଫାଇଲ ପଠାଇ ୨ ଜଣଙ୍କ ଠାରୁ ୧୦ ଲକ୍ଷ ୮୦ ହଜାର ଟଙ୍କା ସାଇବର ଲୁଟ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଟାଙ୍କୁଆ ପଞ୍ଚାୟତ ଅନ୍ତର୍ଗତ ଥରଡି ପୁଟ ବିଦ୍ୟାଳୟରେ ଶିକ୍ଷକ ଭାବେ କାମ କରୁଥିବା ସଦାନନ୍ଦ ସାମନ୍ତରାୟ ଗତ କିଛି ଦିନ ହେଲା କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ବିଶାଖାପାଟଣାରେ ସେଚିକିତ୍ସା ହେଉଥିବା ବେଳେ ବିଶାଖାପାଟଣାର ଡାକ୍ତର ଆସନ୍ତା ୧୦ ତାରିଖ ଦିନ ଅପରେସନ କରିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ। ସଦାନନ୍ଦଙ୍କ ନିକଟରେ ଆବଶ୍ୟକତା ଅନୁଯାୟୀ ଟଙ୍କା ନଥିବା ଯୋଗୁଁ ସେ ଏଚଡିଏଫସିର ଟାଙ୍କୁଆ ବ୍ରାଞ୍ଚରେ ୫ଲକ୍ଷର ଏକ ଲୋନ କରିଥିଲେ। ଗତ ୭ ତାରିଖ ଦିନ ସେ ବିଶାଖାପାଟଣାରେ ଥିବା ସମୟରେ ସଦାନନ୍ଦ ସାମନ୍ତରାୟଙ୍କ ଫୋନକୁ ଗୋଟିଏ ଆପ ଆସିଥିଲା। ଆପ ଲୋଡ କରିବାର କିଛି ସମୟ ପରେ ଏକାଉଣ୍ଟରୁ ୮ଲକ୍ଷ ୯୭ହଜାର ଟଙ୍କା ଗାୟବ ହୋଇଯାଇଥିଲା। ବିଶାଖାପାଟଣାରୁ ଆସି ବ୍ୟାଙ୍କରେ ଅଭିଯୋଗ କରିବା ପରେ ବ୍ୟାଙ୍କ କର୍ତ୍ତୁପକ୍ଷ ଏକାଉଣ୍ଟ ଲକ କରିବା ସହ ସାଇବର ଥାନାରେ ଅଭିଯୋଗ ଦେବା ପାଇଁ କହିଥିଲେ। ସଦାନନ୍ଦ ଓ ତାଙ୍କ ଭାଇ ସନ୍ତୋଷ ସାମନ୍ତରାୟ ଉଭୟ ସାଇବର ଅନଲାଇନରେ ଆବେଦନ କରିବା ପରେ କୋରାପୁଟ ଯାଇ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି।
ସେହିପରି ଅନ୍ୟ ଜଣେ ବ୍ୟବସାୟୀ କେ. ଭେଙ୍କେଟେଶଙ୍କ ଠାରୁ ୧ଲକ୍ଷ ୮୩ ହଜାର ଟଙ୍କା ସାଇବର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତ କାଲି ଭେଙ୍କେଟେଶଙ୍କ ମୋବାଇଲ କୁ ମଧ୍ୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଫେକ ଆପ୍ଲିକେସନ ଆପ ଆସିଥିଲା। ତୁରନ୍ତ ସେ ସେହି ଆପକୁ ଲୋଡ କରିବା ପରେ କମ୍ପାନି କର୍ତ୍ତୁପକ୍ଷ ଓଟିପି ମାଗିଥିଲେ। କିନ୍ତୁ ଭେଙ୍କେଟେଶ କାହାକୁ କିଛି ଓଟିପି ଦେଇନଥିଲେ। ଆଜି ମନରେ ସନ୍ଦେହ ଆସିବାରୁ ସେ ଆଜି ଟାଙ୍କୁଆ ଏଚଡିଏଫସି ବ୍ୟାଙ୍କ ଶାଖାକୁ ଯାଇ ଏକାଉଣ୍ଟ ଯାଞ୍ଚ କରିବା ସମୟରେ ତାଙ୍କ ଏକାଉଣ୍ଟରୁ ୧ଲକ୍ଷ ୮୩ ହଜାରଟଙ୍କା କଟିଥିବା ଜାଣିବାକୁ ପାଇଲେ। ସଦରଥାନାକୁ ଯାଇ ଅଭିଯୋଗ ଦେବା ପରେ ଥାନା ଅଧିକାରୀ ଅନଲାଇନ ନିବେଦନ କରିବା ସହ କୋରାପୁଟ୍ ସାଇବର ଥାନାରେ ଅଭିଯୋଗ କରିବାକୁ କହିଥିଲେ। ଭେଙ୍କେଟେଶ କୋରାପୁଟ୍ ସାଇବର ଥାନା ଯାଇ ଅଭିଯୋଗ କରିଛନ୍ତି।
ଗୋଟିଏ ବ୍ୟାଙ୍କରୁ ଦୁଇଜଣଙ୍କ ଏକାଉଣ୍ଟରୁ ଲକ୍ଷାଧିକଟଙ୍କା ଲୁଟ ହୋଇଥିବା ଯୋଗୁଁ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ହାତ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି