ଘଟଗାଁ , ୨୫ ଫେବୃଆରୀ(ହି.ସ.) – ଦିଶା ଓ ବିଭାଗ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମିଳିତ ସହଯୋଗରେ ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଶୈଲଙ୍ଗ ଛକ ଠାରେ ଏକ ନିଶାସକ୍ତ ବ୍ୟକ୍ତିମାନଙ୍କ ପାଇଁ ମାଗଣା ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବକୁ ‘ଦିଶା’ର ସଂପାଦକ ସଂଜିବ କୁମାର ପଣ୍ଡା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପ ଜିଲ୍ଲାପାଳ ଫାଲଗୁନି ମାଝୀ, ସମ୍ମାନୀତି ଅତିଥି ଭାବେ ବିଶିଷ୍ଠ ପ୍ରବଚକ ଜିତୁଦାଶ, ଘସିପୁରା ଗୋଷ୍ଠି ଉନ୍ନୟନ ଅଧିକାରୀ ବିନିତା ବିଜୟିନୀ, ଘଷିପୁରା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶକୁନ୍ତଳା ନାୟକ, ଓଡ଼ିଶା ନିଶା ନିବାରଣ କେନ୍ଦ୍ର ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ ଦାଶ ପ୍ରମୁଖ ଯୋଗଦେଇ ଦିଶାର ଏଭଳି କାର୍ଯ୍ୟକୁ ପ୍ରସଂଶା କରିଥିଲେ। ଅମୀୟ କୁମାର ସା ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କେନ୍ଦ୍ରରେ ନିଶାମୁକ୍ତି ଚିକିତ୍ସା ନିମନ୍ତେ ମାଗଣା ଔଷଧ ଓ ପରାମର୍ଶ ସହିତ ବିନା ମୂଲ୍ୟରେ ଖାଦ୍ୟ ବ୍ୟବସ୍ଥା ଉପଲବ୍ଧ ରହିଥିବାବେଳେ ୩୦ଟି ଶଯ୍ୟା ବିଶିଷ୍ଠ ଏହି ନିଶା ନିବାରଣ କେନ୍ଦ୍ରରେ ନିଶାଶକ୍ତ ବ୍ୟକ୍ତିକୁ ଏଠାରେ ସମ୍ପୂର୍ଣ୍ଣ ରଖିବା ଖାଇବା ଔଷଧ ମାଗଣାରେ ଯୋଗାଇ ଦିଆଯାଇଥାଏ। ଉକ୍ତ ଉତ୍ସବରେ ୫୦ରୁ ଉର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମକୁ ବିଷ୍ଣୁ ପ୍ରସାଦ ଶତପଥୀ, ରାଜ ନାରୟଣ ରାଉତ, ବୈକୁଣ୍ଠ ସାହୁ, ଜ୍ୟୋତ୍ସ୍ନାରାଣୀ ସାମଲ ପ୍ରମୁଖ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ