କୋରେଇ, ୨୫ ଫେବୃୟାରୀ (ହି.ସ) - କୋରେଇ ଥାନା ଅନ୍ତର୍ଗତ ଧନେଶ୍ୱର ପଂଚାୟତର ଚିଲିପଦା ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗୌରାଂଗ ଚରଣ ଜେନାଙ୍କ ସ୍ତ୍ରୀ କମଳା ଜେନା ଓ ତାଙ୍କ ସାନ ଭଉଣୀ କନକ ଜେନାଙ୍କ ନାମରେ ବ୍ୟାସନଗରସ୍ଥିତ ରାଧାନାଥ ମାର୍ଗରେ ଏକ ଜମି ରହିଛି । ଉପଜିଲ୍ଲାପାଳଙ୍କ ନର୍ଦ୍ଦେଶ ଓ ବ୍ୟାସନଗର ତହିଲଦାର ଡିମାରକେସନ କେସ ନମ୍ବର ୧୨୩/୨୪ ଅନୁଯାୟୀ କଂଟାଝରୀ ରାଜସ୍ୱ ନିରୀକ୍ଷକ ପୁଲିସ ଉପସ୍ଥିତିରେ ଘଟଣାସ୍ଥଳେ ପହଂଚି ଜମିର ମାପ କରଇଥିଲେ । ମାପ କରି ଚୁନ ଦେଇ ଯାଗାର ଚିହ୍ନଟ କରିଥିଲେ । ପରେ ଗୌରାଂଗ ଚୂନ ଦିଆଯାଇଥିବା ସ୍ଥାନରେ ପିଲର ପକାଇଥିଲେ । ସନ୍ଧ୍ୟା ବେଳକୁ ସେହିସ୍ଥାନ ନିକଟସ୍ଥ ଗିରିଦେଶ ସାହା, ଦିନେଶ ସାହା ଓ ତାଙ୍କର ଦୁଇପୁଅ ଆସି ଆସି ଅଶ୍ରାବ୍ୟ ଭାଷରେ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଗାଳିକରିଥିଲେ । ପୁଣି ଅମିନ ଆଣି ମାପ କଲେ ତୋତେ ଜୀବନରୁ ହାଣି ବିହାର ପଠାଇଦେବାକୁ ଧମକ ଦେଇଥିଲେ । ପରଦିନ ସକାଳୁ ଦେଖିବା ବେଳକୁ ପିଲର ବା ଚୂନର କିଛି ଚିହ୍ନବର୍ଣ୍ଣ ନଥିଲା । ଏହାକୁ କିଏ ଉପାଡିଲା କହିବାରୁ ପୂର୍ବ ଅଭିଯୁକ୍ତମାନେ ପୁଣି ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ଏନେଇ ଗତ ଜାନୁଆରୀ ୨୩ ତାରିଖରେ ଗୌରାଂଗ ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୁଲିସ ମାମଲା କରିନଥିଲା । ଶେଷରେ ଫେବୃଆରୀ ୧୦ ତାରିଖ ପୁଲିସ ଉପରେ ଚାପ ପଡିବା ଫଳରେ ମାମଲା ରୁଜ୍ଜୁ କଲା । ହେଲେ ପୁଲିସ ଘଟଣ।।ସ୍ଥଳକୁ ଯାଇ ତଦନ୍ତ କରି ଚୁପ ହୋଇବସିଛି । ଫଳରେ ଅଭିଯୁକ୍ତମାନେ ଧମକ ଦେଇ ଚାଲିଛନ୍ତି । ଯାହା ଦ୍ୱାରା ନିଜ ଜମିକୁ ନିଜେ ଦଖଲ କରିପାରୁ ନାହାନ୍ତି । ଯାହା ଫଳରେ କିଛି କାର୍ଯ୍ୟାନୁଷ୍ଠାନ ପୁଲିସ ନକରିବାରୁ ଗୌରାଂଗ ଆଜି ଦଳିତ ନେତା ସେମାନାଥ ଦାସଙ୍କ ସହ ଏସପିଙ୍କୁ ଭେଟି ତାଙ୍କ ଜମି କିପରି ପାଇବେ ବୋଲି ଗୁହାରୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ