ଧର୍ମଶାଳା, ୨୫ ଫେବୃଆରୀ (ହି.ସ.)- ଦୀର୍ଘ ଦିନର ଅବସାନ ପରେ ରାଜନୈତିକ ଛକାପଂଝା ଓ ବହୁ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଯାଜପୁର ଜିଲା ଧର୍ମଶାଳା ପଂଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସରକାର ପରିବର୍ତନ ପରେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁ ଓ ଧର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ସମେତ ୪୫ ଗୋଟି ପଂଚାୟତର ସରପଂଚ, ସମିତିସଭ୍ୟ/ସଭ୍ୟା,ଜିଲା ପରିଷଦ ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ରାସନ କାର୍ଡରେ କେୱାଇସି ବ୍ୟବସ୍ଥା, ଡିଲରମାନଙ୍କର ମନମାନି, ବର୍ଦ୍ଧିତ ଭତା, ଆବାସ ଯୋଜନା ଓ ଆଗକୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ସମସ୍ୟା ସମ୍ପର୍କିତ ଆଲୋଚନା କରାଯାଇଥିଲା । ଧର୍ମଶାଳାର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ବୈଠକରେ ନିଷ୍ପତି ହୋଇଛି । ପଂଚାୟତ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପଂଚାୟତର ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ