ଧର୍ମଶାଳା, ୨୫ ଫେବୃଆରୀ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳରେ ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି । ଜାରକା ସନ୍ନିକଟ କୁମାରୀ ଗ୍ରାମରେ ଜଣକ ଘରେ ଚୋର ପଶି କଳକନା ବୁଲାଇଥିବା ଜଣାପଡିଛି । ଘରେ କେହି ନଥିବାର ସୁଯୋଗ ନେଇ ଦୃବୃତମାନେ ଘର ଛାତ ଦେଇ ଘର ଭିତରକୁ ପଶି ଘରେ ଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ନେଇ ଯାଇଥିବା ଜଣାଯାଇଛି । ସୂଚନା ମୁତାବକ, ଗତ କିଛି ମାସ ହେଲା ଜରକା ସନ୍ନିକଟ କୁମାରୀ ଗ୍ରାମରେ ଘର କରି ରହୁଥିବା ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଉତରାଖଣ୍ଡରେ ମେଡିସିନ ରିପ୍ରେଜେଂଟିଭ ଭାବେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ମନଶ୍ୱିନୀ ପାଣିଗ୍ରାହୀ ଓ ତାଙ୍କର ୨ ଜଣ ପିଲା ଘରେ ରହୁଛନ୍ତି । କୌଣସି କାମରେ ମନଶ୍ୱିନୀ କୁଆଖିଆ ଥାନା ଅନ୍ତର୍ଗତ କୁରାଂଶ ସ୍ଥିତ ତାଙ୍କ ବାପା ଘରକୁ ଯାଇଥିଲେ । ବିଳମ୍ବରେ ସେ ଘରକୁ ଫେରି ଦେଖିବା ସମୟରେ ଘର ତାଲା ଭଙ୍ଗା ଯାଇ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଓ ଅନ୍ୟ ସାମଗ୍ରୀ ସବୁ ଚୋରି ହୋଇଛି । ଦୃବୃତମାନେ ଘରେ ଥିବା ଗୋଟିଏ ମଙ୍ଗଳସୁତ୍ର, ୨୫ ଗ୍ରାମର ସୁନା ଚେନ, ଚାରି ହଳ କାନଫୁଲ, ୫ଟା ମୁଦୀ ସମେତ ନଗଦ ୭ ହଜାର ଟଙ୍କା ଓ ଘରେ ଲାଗିଥିବା ଦାମିକା ପାଣି ଟ୍ୟାପ ଗୁଡିକୁ ତାଡି ନେଇ ଯାଇଛନ୍ତି । ଏନେଇ ଶ୍ରୀମତୀ ପାଣିଗ୍ରାହୀ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ