ଖୋର୍ଦ୍ଧା, 26 ଫେବ୍ରୁଆରି (ହି.ସ.)ଖୋର୍ଦ୍ଧାର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ଓ ଜାଗାର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ଏବଂ ଅଟ୍ରି ସ୍ଥିତ ଏକାଦଶ ରୁଦ୍ର ହଟ୍ଟକେଶ୍ବର ହରିହର ଭେଟ ପରେ ୧୧ଟାରେ ମହାଦୀପ ଉଠିଥଲା । ଗୋଡା ସ୍ଥିତ ପ୍ରସିଦ୍ଧ ଲୋକନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା I ମହାଦୀପ ଦର୍ଶନ ଲାଗି ଆଖପାଖ ଅଂଚଳର ଭକ୍ତଙ୍କ ସମାଗମ ହୋଇଥିଲା । ସମସ୍ତ ଶୈବପୀଠରେ ପ୍ରବଳ ଜନ ସମାଗମ ରହିଥଲା ।ଶ୍ରୀଧବଳେଶ୍ଵର ପୀଠରେ ଭୋର ୩ଟାରେ ଦ୍ଵାରଫିଠା, ମଙ୍ଗଳ ଆଳତୀ ପରେ ୪ଟା ଠାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ମଧାହ୍ନରେ ଶଙ୍ଖୁଡି ଭୋଗ ରେ ଠାକୁରଙ୍କ କିଛି ସମୟ ପହୁଡ ଯାଇ ପୁଣି ଥରେ ଦର୍ଶନ ଆରମ୍ଭ ହୋଇ ରାତି ସାଢେ ୯ଟା ପଯ୍ୟନ୍ତ ଚାଲିଥଲା । ନିର୍ଦ୍ଧାରିତ ରାତି ୧୦ଟାରେ ହରିହର ଭେଟ ଏବଂ ୧୧ଟାରେ ମହାଦୀପ ଉଠିଥିଲା ।ସେହିପରି ଅଟ୍ରି ସ୍ଥିତ ଏକାଦଶ ରୁଦ୍ର ହଟ୍ଟକେଶ୍ବରଙ୍କ ପୀଠରେ ଭୋର ୩ଟାରେ ଦ୍ବାରଫିଠା, ମଙ୍ଗଳ ଆଳତୀ ପରେ ୪ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ୧୨ଟାରେ ଶଙ୍ଖୁଡି ଭୋଗ ପରେ ଅପରାହ୍ଣ ୧ଠାରୁ ୩ଟା ପର୍ଯ୍ୟନ୍ତ ପହୂତ ପଡିଥିଲା । ପୁଣି ଅପରାହ୍ଣ ୩ଟା ଠାରୁ ଦର୍ଶନ ଆରମ୍ଭହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା I ପରେ ମହାଦୀପ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ରାତି ୧୦ଟାରେ ହରିହର ଭେଟ ଏବଂ ୧୧ଟାରେ ମହାଦୀପ ଉଠିଥିଲା । ଶ୍ରୀ ଧବଳଶ୍ବରଙ୍କ ପୀଠରେ ଉପଜିଲାପାଳ କିଶୋର ପଣ୍ଡା, ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନାଧିକାରୀ ସଞ୍ଜୟ ନାୟକ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ପରିଚାଳନା କରିଥିଲେ I ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ ରହିଥଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ