ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ଆଜି ଅପରାହ୍ନରେ ଭଦ୍ରକ ଜିଲାର ୭ଟି ବ୍ଲକ୍ ଓ ୪ଟି ପୌରାଂଚଳରୁ ୧୧୭ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ନାସିକ ବାହାରିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ସଂସ୍କୃତି ଭବନ ଠାରେ ବ୍ୟାପକ ଆୟୋଜନ କରାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ବରିଷ୍ଠ ନାଗରିକମାନଙ୍କୁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲାପାଳ ଦିଲ୍ଲୀପ ରାଉତରାୟ ସବୁଜ ପତାକା ଦେଖାଇବା ପରେ ବାଲେଶ୍ୱର ଅଭିମୁଖେ ୩ଟି ବସ୍ ଦିନ ୪.୧୫ ରେ ଯାତ୍ରା କରିଥିଲା। ଜିଲାପାଳ ଓ ବିଧାୟକ ବରିଷ୍ଠ ନାଗରିକମାନଙ୍କ ଯାତ୍ରାର ସଫଳ କାମନା କରିଥିଲେ। ଏହି ୧୧୭ ଜଣଙ୍କ ମଧ୍ୟରୁ ଧାମନଗର ବ୍ଲକ୍ରୁ ୨୨ ଜଣ, ବାସୁଦେବପୁର ବ୍ଲକ୍ରୁ ୩ ଜଣ ଓ ପୌରାଂଚଳରୁ ୩ ଜଣ, ବନ୍ତ ବ୍ଲକ୍ରୁ ୩୬ ଜଣ, ଭଣ୍ଡାରିପୋଖରୀ ବ୍ଲକ୍ରୁ ୯ ଜଣ, ଭଦ୍ରକ ବ୍ଲକ୍ରୁ ୧୦ ଜଣ, ପୌରାଂଚଳରୁ ୫ ଜଣ, ତିିହିଡିରୁ ୨୩ ଜଣ, ଚାନ୍ଦବାଲି ବ୍ଲକ୍ ଓ ପୌରାଂଚଳରୁ ୬ ଜଣ ଥିଲେ। ଏହି ବରିଷ୍ଠ ନାଗରିକମାନେ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ରେ ବାଲେଶ୍ୱରରୁ ନାସିକ ଯାତ୍ରା କରିବେ। ନାସିକରେ ଥିବା ଶିରିଡି, ତ୍ରୟମ୍ବକେଶ୍ୱର ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବେ। ଶ୍ରଦ୍ଧାଳୁମାନେ ୭ଦିନ ପରେ ଆସନ୍ତା ୪ ତାରିଖରେ ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶଯୋଗ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥିତ ଏହି ସ୍ୱତନ୍ତ୍ର ଟ୍ରେନ୍ରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ବରିଷ୍ଠ ନାଗରିକ ମାନେ ଯାତ୍ରା କରିବେ। ଏହି ପରିପ୍ରେକ୍ଷୀରେ ଯାତ୍ରା କରିବା ପୂର୍ବରୁ ପ୍ରଶାସନ ତରଫରୁ ବରିଷ୍ଠ ନାଗରିକମାନଙ୍କର ପଂଜିକରଣ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ନିକଟସ୍ଥ ସଂସ୍କୃତି ଭବନ ଠାରେ ପ୍ରଶାସନ ପକ୍ଷରୁ ଏକ ମିଳିତ ବୈଠକର ଆୟୋଜନ କରାଯାଇଥିଲା। ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ଟୁରିଷ୍ଟ ଅଫିସର ସୁଧାଂଶୁ ମୋହନ ସ୍ୱାଇଁ, ଜିଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ଯାତ୍ରା ସମୟରେ ସରକାରଙ୍କ ଏସ୍ଓପିକୁ ପାଳନ କରିବା ପାଇଁ ବରିଷ୍ଠ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ। ଏମାନଙ୍କ ମନୋରଂଜନ ପାଇଁ ଏକ ଭଜନ ସମାରୋହ ମଧ୍ୟ ସଂସ୍କୃତି ଭବନ ଠାରେ ଆୟୋଜନ କରାଯିବ ସହ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ପରେ ଡେପୁଟି କଲେକ୍ଟର ଶ୍ରୀ ମଣ୍ଡଳଙ୍କ ତତ୍ୱାବଧାନରେ ଶ୍ରଦ୍ଧାଳୁମାନଙ୍କୁ ବାଲେଶ୍ୱର ନିଆଯାଇଥିଲା। ବାଲେଶ୍ୱରର ପଦ୍ମାବତୀ ପାର୍କରେ ଆଜି ରାତି କଟାଇ ଆସନ୍ତାକାଲି ୧୧.୪୫ ରେ ବାଲେଶ୍ୱର ଷ୍ଟେସନରୁ ନାସିକ୍ ଯାତ୍ରା କରିବେ। ଏହି ଯାତ୍ରୀମାନଙ୍କ ସହ ଧାମନଗର ବିଏସ୍ଏସ୍ଓ ସୌମ୍ୟଜିତ ବେହେରା, ବିଏସ୍ଏସ୍ଓ ପ୍ରକାଶ ସାହୁ, ଡିପିଏମ୍ୟୁ ଭଗବାନ ବାରିକ, ତିହିଡି ପିଓ ଦୀନବନ୍ଧୁ ମହାନ୍ତି ଏସକର୍ଟ ଅଫିସର ଭାବେ ଯାତ୍ରା କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା, ସିଡିଇଓ ସରୋଜ ଦତ, ସିଡିଏମ୍ଓ, ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ