ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରି ଜାଗର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଆରଡି ଧାମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ବାବା ଆଖଣ୍ଡଳମଣି ପୀଠର ଉନ୍ନତି ପାଇଁ ୧୦ କୋଟିର ସହାୟତା ଘୋଷଣା
ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ଙ୍କ ପବିତ୍ର ମହାଶିବରାତ୍ରି ଜାଗର ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥି ପାଇଁ ଆରଡ଼ି ପୀଠ ଉତ୍ସବ ମୁଖରିତ ହୋଇଉଠିଛି । ଜାଗରଯାତ୍ରା ନିମନ୍ତେ ସତ୍ୱନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ମହାଦୀପ ମନ୍ଦିରଚୂ
ARADI DHAM RE UPA MUKHYAMANTRI-2


ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ଙ୍କ ପବିତ୍ର ମହାଶିବରାତ୍ରି ଜାଗର ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥି ପାଇଁ ଆରଡ଼ି ପୀଠ ଉତ୍ସବ ମୁଖରିତ ହୋଇଉଠିଛି । ଜାଗରଯାତ୍ରା ନିମନ୍ତେ ସତ୍ୱନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ମହାଦୀପ ମନ୍ଦିରଚୂଡାରେ ସ୍ଥାପନ ଆଦି କାର୍ଯ୍ୟକ୍ରମ ସଠିକ ସମୟରେ ଅନୁଷ୍ଠିତ ହୋଇଥିଲା । ପ୍ରାତ ୪ ଘଟିକା ରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଭୋଗ, ପାଳିଆ ସେବାୟତ ଦ୍ୱାରା ଖେଚୁଡ଼ି ଭୋଗ ଅନୁଷ୍ଠିତ ହୋଇ ପ୍ରଥମ ପ୍ରହର ରୁ ଚତୁର୍ଥ ପ୍ରହର ଉପଚାର ପୂଜା, ଅଭିଷେକ ଓ ମହାସ୍ନାନ ଅନୁଷ୍ଠିତ ହୋଇଛି। ମଣିବାବାଙ୍କ ମହାଦୀପ ଆସନ୍ତାକାଲି ଭୋର୍ ୪.୩୦ ରେ ଚୂଡାକୁ ଉଠିବାର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବାବା ଆଖଣ୍ଡଳମଣି ବିଜେ ଆରଡି ଧାମରେ ପବିତ୍ର ମହାଶିବରାତ୍ରୀ ମହୋତ୍ସବ ବଡ ଧୁମଧାମରେ ପାଳନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ମହୋତ୍ସବ ୨୫ ତାରିଖ ସନ୍ଧ୍ୟାରେ କଟକରୁ ଆସିଥିବା କ୍ରୀଷ୍ଣା ଭଜନ ସମାରୋହ ସହିତ ଆଂଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। ଭଦ୍ରକ ଏସପି ମାଡକର ସନ୍ଦୀପ ସମ୍ପତ ସନ୍ଧ୍ୟାର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଉପଜିଲାପାଳ ସୌରଭ ଚକ୍ରବର୍ତୀ ଏଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଡିଏସ୍‌ପି ବିଶ୍ୱପତି ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇଥିଲେ। ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ସେବାୟତ ସରୋଜ କୁମାର ଦାସ, ବିଜୟ କୁମାର ଦାସ, ରାଧାକାନ୍ତ ପାଢୀ, ଆଶିଷ କୁମାର ପାଢୀ ପ୍ରମୁଖ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌ଘୋଷିକା ଅଭିଲିପ୍ସା ଉପାଧ୍ୟାୟ ଏହି ସାଂସ୍କୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର ପବିତ୍ର ଜାଗର ଉତ୍ସବ ଉପଲକ୍ଷେ ନୀତି ନିର୍ଘଂଟ ଅନୁଯାୟୀ ବାବାମଣିଙ୍କ ସମସ୍ତ ଉପଚାର, ପୂଜାପାଠ ଭୋଗଲାଗି କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯାଇଥିଲା। ବଡି ଭୋର୍ ୪ଟାରୁ ବାବାମଣିଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁମାନଙ୍କ ଲମ୍ବା ଧାଡି ଆରମ୍ଭ ହୋଇଯାଇଥିବାର ଦେଖାଯାଇଥିଲା। ଅସମ୍ଭାଳ ଭିଡକୁ ଆଖିଆଗରେ ରଖି ଜିଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବାରମ୍ବାର ବୈଠକ ଓ ଫ୍ଲାଗମାର୍ଚ୍ଚ ଜରିଆରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶାନ୍ତିଶୃଙ୍ଖଳାର ସହିତ ଏହି ଉତ୍ସବକୁ ପାଳନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ତାଙ୍କ ଭଦ୍ରକ ଗସ୍ତ ଅବସରରେ ଆରଡି ପୀଠରେ ପହଂଚି ମଣିବାବାଙ୍କୁ ଦର୍ଶନ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହିତ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ, ଏସ୍‌ପି ଶ୍ରୀ ସମ୍ପତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ , ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକ ସମେତ ବହୁ ନେତା ବାବାମଣି ଙ୍କ ଦର୍ଶନ କରିଥିଲେ। ବାବା ଆଖଣ୍ଡଳମଣି ମନ୍ଦିର ଓ ଆରଡି ପୀଠର ଉନ୍ନୟନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ କୋଟିର ଅନୁଦାନ ପ୍ରଦାନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଘୋଷଣା କରିଥିଲେ। ସନ୍ଧ୍ୟାରେ ଶ୍ରଦ୍ଧାଳୁମାନଙ୍କ ଆଧ୍ୟାତ୍ମିକ ମନୋରଂଜନ ପାଇଁ ମହାଶିବରାତ୍ରୀ ମହୋତ୍ସବ ମଂଚରେ ଆଂଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଷ୍ଣୁମୋହନ କବି ଏବଂ ତାଙ୍କ ସାଥୀ କଳାକାରମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଇନଶୃଙ୍ଖଳା ପାଇଁ ଭଦ୍ରକ ଏସ ପି ମାଡକର ସନ୍ଦିପ ସମ୍ପଦ , ଅତିରିକ୍ତ ଏସ ପି ଅଂଶୁମାନ ଦିବେଦ୍ୱୀ , ୯ ଜଣ ମାଜିଷ୍ଟ୍ରେଟ, ଧାମନଗର ଏସ ଡି ପି ଓ ତ୍ରିଲୋଚନ ସେଠି ସମେତ ୬ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ,୫୯ ଜଣ ସବ ଇନ୍ସପେକ୍ଟର, ୩୨ ଜଣ ହାବିଲଦାର,୪ ଜଣ ଟ୍ରାଫିକ କନେଷ୍ଟବଳ, ୫୦ ଜଣ ଗୃହରକ୍ଷୀ ସମେତ ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରି ପରିସ୍ଥିତି ତଦାରଖ କରିଛନ୍ତି । ଏବଂ ସ୍ୱାସ୍ଥ୍ୟସେବା, ଅଗ୍ନି ନିରାପତା, ହଜିବା ଓ ଖୋଜିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇଥିଲା। ସତ୍ୟସାଇ ସେବା ଅନୁଷ୍ଠାନ ଓ ଅନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande