ଖୋର୍ଦ୍ଧା, ୩୦ ମଇ (ହି.ସ.)- ବହୁ ଚର୍ଚ୍ଚିତ କାଜୁ ଜଙ୍ଗଲରେ ସ୍ତ୍ରୀକୁ ହତ୍ୟା କରିବା ଘଟଣାରେ ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗାଁର ସ୍ୱାମୀ ଦୀପ୍ତିମାନ ସାହୁଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଅତିରିକ୍ତ ଜଜ୍ ଶ୍ରୀମତୀ ମଞ୍ଜୁଲତା ଜେନା ।
ମାମଲାର ବିବରଣୀରୁ ପ୍ରକାଶ ଯେ, ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ସିନ୍ଧୁରକୁମ୍ପା ଗ୍ରାମର ଦୀପ୍ତିମାନ ସାହୁ ତାଙ୍କ ସ୍ତ୍ରୀ ରୁନିତା ସାହୁ ଜଙ୍କିଆ ଥାନା ମଳିପଡ଼ା ଅଞ୍ଚଳରେ ରହୁଥିଲେ । ଗତ ୨୦୨୦ ମସିହା ଜାନୁଆରୀ ମାସ ୨୧ ତାରିଖରେ ଦୀପ୍ତିମାନ ତାଙ୍କ ସ୍ତ୍ରୀ ରୁନିତାଙ୍କୁ ପୁରୀ ବୁଲାଇବାକୁ ନେଇଥିଲେ । ସେଠାରୁ ଫେରିବା ପରେ ରୁନିତା ନିଖୋଜ ହୋଇଯାଇଥିବା ଦୀପ୍ତିମାନ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ । ତେବେ ଦୀପ୍ତିମାନଙ୍କ ବୟାନ ଶୁଣିବା ପରେ ଶ୍ୱଶୁର ଘର ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ରୁନିତାଙ୍କ ଭାଇ ବିକାଶ ସାହୁ ଜଙ୍କିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଜଙ୍କିଆ ପୋଲିସ ତଦନ୍ତ କରିବା ପରେ ମଳିପଡ଼ା ଗ୍ରାମ ପାଟଶ ମୁଣ୍ଡିଆ ଜଙ୍ଗଲରୁ ରୁନିତାଙ୍କ ଶବ ଉଦ୍ଧାର କରିଥିଲେ । ଅଭିଯୁକ୍ତ ଦୀପ୍ତିମାନ ଓଢ଼ଣୀରେ ରୁନିତାକୁ ହତ୍ୟା କରିଥିବା ତଦନ୍ତ ସମୟରେ ଜଙ୍କିଆ ପୋଲିସ ଜାଣିବାକୁ ପାଇଥିଲେ । ଉକ୍ତ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ଶୁକ୍ରବାର ଅଭିଯୁକ୍ତ ଦୀପ୍ତିମାନ ସାହୁଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜରିମନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଭୋଗିବା ପାଇଁ ରାୟରେ ଉଲ୍ଲେଖ ରହିଛି ।
ହିନ୍ଦୁସ୍ଥାନ ସମାଚାର / ରାକେଶ