ସୁନ୍ଦରଗଡ଼, ୩୦ ମଇ (ହି.ସ.)- ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିକଶିତ ନୂତନ ସମନ୍ୱିତ ଡ୍ୟାସବୋର୍ଡ ଚଳିତ ବିଧାନସଭା ଉପନିର୍ବାଚନ ଏବଂ ଆଗାମୀ ବିହାର ବିଧାନସଭା ନିର୍ବାଚନ ସମୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଇସିଆଇଏନଇଟି (ECINET) ନାମକ ଏହି ଡ୍ୟାସବୋର୍ଡର ଲକ୍ଷ୍ୟ ହେଉଛି ଅଂଶୀଦାରମାନଙ୍କୁ ବର୍ତ୍ତମାନରେ ଥିବା ୪୦ ରୁ ଅଧିକ ଆପ୍ ଏବଂ ୱେବସାଇଟ୍ ବଦଳରେ ସମସ୍ତ ସେବା ଏକକ ସ୍ଥାନରେ ଯୋଗାଇବା ପାଇଁ । ନିର୍ବାଚନ ଆୟୋଗଙ୍କର ଏକ ସୂତ୍ର କହିଛନ୍ତି ଯେ, ବର୍ତ୍ତମାନର ଉପନିର୍ବାଚନ ପ୍ରକ୍ରିୟା ସମୟରେ ଇ ସି ଆଇ ଏନ୍ ଇ ଟି ର କିଛି ବର୍ଗ ଉପଲବ୍ଧ କରାଯିବ ଏବଂ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଡ୍ୟାସବୋର୍ଡକୁ ବ୍ୟବହାର ପାଇଁ ଉପଲବ୍ଧ କରାଯିବ। ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜୁନ୍ ୧୯ ରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତିଦ୍ୱନ୍ଦ୍ୱୀ ଦଳ ମାନଙ୍କ ଦ୍ୱାରା ଭୋଟର ତାଲିକାରେ ଅସଙ୍ଗତି ଠାରୁ ଆରମ୍ଭ କରି ଭୋଟର ପରିଚୟପତ୍ର ନମ୍ବରର ନକଲ ପର୍ଯ୍ୟନ୍ତ ଅସଂଖ୍ୟ ପ୍ରସଙ୍ଗ ଉପରେ ଅଭିଯୋଗ ମଧ୍ୟରେ ନିର୍ବାଚନ ପରିଚାଳନାକୁ କିପରି ମାନକୀକରଣ କରିହେବ ସେଥିପାଇଁ ନିର୍ବାଚନ ଆୟୋଗ ଫେବୃଆରୀ ମାସରୁ ଅନେକ ପଦକ୍ଷେପ ନେଇଛନ୍ତି ଯାହା ମଧ୍ୟରୁ ଇସିଆଇଏନଇଟି ଅନ୍ୟତମ ।
ଫେବୃଆରୀ ୧୯ ତାରିଖରେ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଦାୟିତ୍ୱ ଗ୍ରହଣ କରିଥିଲେ । ସେବେଠାରୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଆଯାଇଥିବା କିଛି ପଦକ୍ଷେପ ମଧ୍ୟରୁ କିଛି ଉଦାହରଣ ହେଉଛି, ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ଠାରୁ ମୃତ୍ୟୁ ପଞ୍ଜୀକରଣ ତଥ୍ୟର ସିଧାସଳଖ ସମନ୍ୱୟ ଅନ୍ତର୍ଭୁକ୍ତ; ଯାହାଦ୍ୱାରା ମୃତ ଭୋଟରଙ୍କ ନାମ ତାଲିକାରେ ଯାଞ୍ଚ କରି ଦକ୍ଷତାର ସହ ବାତିଲˎକରାଯାଇପାରିବ ଏବଂ ତୃଣମୂଳସ୍ତରୀୟ ମତଦାନ ଅଧିକାରୀମାନଙ୍କୁ ତାଲିମ; ଯାହା ମତଦାନ ପରିଚାଳନାକୁ ସୁବ୍ୟବସ୍ଥିତ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହେବ। ଏହା ବ୍ୟତୀତ, ନିର୍ବାଚନ ଆୟୋଗ ପ୍ରତି ମତଦାନ କେନ୍ଦ୍ରରେ ସର୍ବାଧିକ ମତଦାତାଙ୍କ ସଂଖ୍ୟା ୧,୫୦୦ ରୁ ୧,୨୦୦ କୁ ମଧ୍ୟ ହ୍ରାସ କରିଛନ୍ତି। ସହରାଞ୍ଚଳ ମଧ୍ୟରେ ଥିବା ଘନ ଜନବସତି ବହୁତଳ-ବିଶିଷ୍ଟ ଆବାସିକ ସମାଜ/କଲୋନୀ ମଧ୍ୟରେ ଅତିରିକ୍ତ ମତଦାନ କେନ୍ଦ୍ରର ପ୍ରତିଷ୍ଠା କରିବାର ନିଷ୍ପତି ମଧ୍ୟ ନେଇଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗ ଏହା ମଧ୍ୟ ସୁନିଶ୍ଚିତ କରୁଛନ୍ତି ଯେ, କୌଣସି ଭୋଟର ମତଦାନ କରିବା ପାଇଁ ୨ କିଲୋମିଟରରୁ ଅଧିକ ଯାତ୍ରା ନ କରନ୍ତୁ ବୋଲି । ସ୍ପଷ୍ଟତା ପାଇଁ ଭୋଟର ସୂଚନା ସ୍ଲିପଗୁଡ଼ିକୁ ପୁନଃ ପରିକଳ୍ପନା କରାଯାଇଛି, କ୍ରମିକ ଏବଂ ଅଂଶ ସଂଖ୍ୟାର ଦୃଶ୍ୟମାନତା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ମତଦାନ କେନ୍ଦ୍ରର ପ୍ରବେଶ ଦ୍ୱାରରେ ମୋବାଇଲ୍ ଫୋନ୍ ଜମା କରିବାର ସୁବିଧା ମଧ୍ୟ ସ୍ଥାପନ କରାଯିବ ବୋଲି ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ନିର୍ବାଚନ ଆୟୋଗ ଦେଶବ୍ୟାପୀ ୪,୭୧୯ ବୈଠକର ଅନୁଷ୍ଠାନ ମଧ୍ୟ କରିଥିଲେ ଯେଉଁଥିରେ ୨୮,000 ରୁ ଅଧିକ ରାଜନୈତିକ ଦଳର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଆୟୋଗ ନୂଆଦିଲ୍ଲୀରେ ଆମ ଆଦମୀ ପାର୍ଟି, ଭାରତୀୟ ଜନତା ପାର୍ଟି, ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି ସମେତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ନେତାମାନଙ୍କ ସହିତ ପରାମର୍ଶ କରିଥିଲେ ଏବଂ ବର୍ତ୍ତମାନର ଉପନିର୍ବାଚନ ପରେ ଏହିପରି ଆହୁରି ବୈଠକ କରିବାର ଯୋଜନା ମଧ୍ୟ ରଖିଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀ, ପର୍ଯ୍ୟବେକ୍ଷକ ଏବଂ ବୁଥ୍ ସ୍ତରୀୟ ପ୍ରତିନିଧି ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା। ୩,୫୦୦ ରୁ ଅଧିକ ବୁଥ ସ୍ତରୀୟ ଅଧିକାରୀ ଏବଂ ବୁଥ ସ୍ତରୀୟ ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦିଆଯାଇଛି ଯାହା ଫଳରେ ସେମାନେ ଦେଶବ୍ୟାପୀ ୦.୫ ଲକ୍ଷରୁ ଅଧିକ କର୍ମକର୍ତ୍ତା-ବିଶିଷ୍ଟ ବୃହତ ବୁଥ ସ୍ତରୀୟ ଅଧିକାରୀ ନେଟୱାର୍କକୁ ତାଲିମ ଦେଇପାରିବେ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ