ଭୁବନ, ୩୧ ମଇ (ହି.ସ.)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୩ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଡ଼ିପାଟଣାର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ରଙ୍ଗଲତା ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମତୀ ପଣ୍ଡା କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରେକୁଟିଆରେ ୧୯୯୩ ମସିହା ମାର୍ଚ୍ଚ ମାସ ୩୧ ତାରିଖ ଦିନ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ଭୁବନ ବ୍ଲକ ର ବଲରାମପୁର ପ୍ରାଥମିକ ବିଦ୍ୟାଳୟରେ ୧୬ ବର୍ଷ ଓ ନିଜ ଜନ୍ମ ମାଟି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଡ଼ିପାଟଣା ପ୍ରାଥମିକ ବିଦ୍ୟାଳୟରେ ୧୪ ବର୍ଷ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଶନିବାର ପବିତ୍ର ଶୀତଳ ଷଷ୍ଠୀ ଦିନ ଅବସର ଗ୍ରହଣ କରିଛନ୍ତି । ଶ୍ରୀମତୀ ପଣ୍ଡାଙ୍କ ଉଦ୍ଦେଶ୍ୟରେ ବି.ଇ.ଓ. କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନତି ଦେହୁରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରାଜଲକ୍ଷ୍ମୀ ଟୁଡୁ, ଶ୍ରୀମତୀ ସୁମତି ପ୍ରଧାନ ଏବଂ ବରିଷ୍ଠ କିରାଣୀ ପ୍ରକାଶ ପଣ୍ଡା ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ପଣ୍ଡାଙ୍କ ଶିକ୍ଷାଦାନ ଶୈଳୀ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଶ୍ରୀମତୀ ପଣ୍ଡା ମଧ୍ୟ କୋହଭରା କଣ୍ଠରେ ୩୨ ବର୍ଷ ନିଜ କର୍ମମୟ ଜୀବନ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପଣ୍ଡାଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିବା ସହ ପେନସନ ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ