ଭୁବନେଶ୍ୱର, ୩୧ ମଇ (ହି.ସ.)- ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣ ବର୍ଷା ସହିତ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର । ତନ୍ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏହା ବ୍ୟତୀତ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୨୩ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ଏହି ସମୟରେ ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ଏବଂ ଅନ୍ୟ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିପାରେ ।
ସେହିପରି ଆସନ୍ତାକାଲି ଅର୍ଥାତ୍ ୧ ତାରିଖରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୩ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୨ ତାରିଖ ସକାଳ ଠାରୁ ୭ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ