ନୂଆପଡା, ୨ ଜୁନ୍ (ହି.ସ.)- ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳ । ଏହି ସହର ଜିଲ୍ଲାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ । ଫଳରେ ଏହି ସହର ଆଜି ମଧ୍ୟ ବ୍ୟବସାୟ ସହ ଅନ୍ୟାନ୍ୟ କ୍ଷେତ୍ରରେ ସୁପରିଚିତ । ଏପରିକି ଏହି ସହରରେ ନୂଆପଡା ଜିଲ୍ଲା ଗଠନ ହେବା ପୂର୍ବରୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକ ରହିଛି । ହେଲେ ଦୁଃଖ ଓ ପରିତାପର ବିଷୟ ଏହି ସହରରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ରାଜା ଆର୍ତତ୍ରାଣ ହାଇସ୍କୁଲର ଖେଳ ପଡିଆକୁ ତତ୍କାଳୀନ ଉପଜିଲ୍ଲାପାଳ ସରୋଜ କୁମାର ଝା ବସଷ୍ଟାଣ୍ଡ ରୂପେ ନିର୍ମାଣ କରିଥିଲେ ଓ ଏହା ଦୀର୍ଘ ବର୍ଷ ଧରି ଚାଲି ଆସୁଥିଲା । ହେଲେ କୈାଣସି କାରଣବଶତଃ ତତ୍କାଳୀନ ଜିଲ୍ଲାପାଳ ଜୟକୁମାର ଭି ଏହି ବସଷ୍ଟାଣ୍ଡକୁ ସ୍ଥାନାନ୍ତର କରି ବ୍ଲକ ଛକ ନିକଟରେ ଥିବା ପ୍ୟାରେଡ୍ ପଡିଆକୁ ବସଷ୍ଟାଣ୍ଡ ରୂପେ ତିଆରି କଲେ । ହେଲେ ଏହି ବସଷ୍ଟାଣ୍ଡ ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ ଅବ୍ୟବସ୍ଥାରେ ଗତି କରୁଛି ।
ଅନ୍ୟପକ୍ଷରେ ଚଳିତ ବର୍ଷର ପ୍ରଥମ ମୌସୁମୀ ବର୍ଷାରେ ବସଷ୍ଟାଣ୍ଡ ପରିସର ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି ବସଷ୍ଟାଣ୍ଡ ସାରା ବଡ ବଡ ଖାଲଖମା ଭର୍ତୀ ହୋଇ ରହିଥିବା ବେଳେ ବର୍ଷା ପାଣି ଜମି ରହି କର୍ଦମାମୟ ପରିସ୍ଥିତି ସୃଷ୍ଟି କରିଛି । ଫଳରେ ଅନେକ ବସ୍ ବସଷ୍ଟାଣ୍ଡ ଭିତରକୁ ଯିବାବେଳେ ଅସୁବିଧା ଦେଖାଦେଉଛି । ଏହାସହ ଏହି ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗାର ନଥିବା ବେଳେ ଶୈାଚାଳୟ, ପରିସ୍ରାଗାର ମଧ୍ୟ ନାହିଁ । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନର ମଧ୍ୟ ଏହି ବସଷ୍ଟାଣ୍ଡ ପ୍ରତି ନଜର ନାହିଁ । ଜିଲ୍ଲାର ପ୍ରମୁଖ ସହରରେ ଗୋଟିଏ ସ୍ଥାୟୀ ବସଷ୍ଟାଣ୍ଡ ନଥିବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଭିନ୍ନ ସୁବିଧା ରହିଥିବା ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଖଡିଆଳ ଅଂଚଳବାସୀ ଦାବୀ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ