ଭୁବନେଶ୍ୱର, ୩୧ ମଇ (ହି.ସ.) - ଡିଷ୍ଟ୍ରିକ୍ଟ ସେଣ୍ଟର ଚନ୍ଦ୍ରଶେଖରପୁର ଭୁବନେଶ୍ୱରସ୍ଥିତ ଶ୍ରୀ ବିଶ୍ୱନାଥ ମହାଦେବ ମନ୍ଦିର, ହିନ୍ଦୁ ଦେବୋତ୍ତର ବିଭାଗ (୮୯୯ବି.କେ(ଏମ୍) ମନ୍ଦିର ଶୈବପୀଠରେ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଦେବ ଦମ୍ପତିଙ୍କର ବିବାହ ଓ ଶୀତଳ ଷଷ୍ଠୀ କାର୍ଯ୍ୟ ମହାସମାରୋହରେ ପାଳିତ ହୋଇଯାଇଛି। ୩୦ ତାରିଖ ଶୁକ୍ରବାର ରାତ୍ରିରେ ଶିବ ବିବାହ ଉତ୍ସବରେ ଶ୍ରୀ ପଦ୍ମଲୋଚନ ପଣ୍ଡା, ସିମୁଳିଆ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯୋଗଦେଇ ବିବାହ କାର୍ଯ୍ୟ ସମାପନ ପର୍ଯ୍ୟନ୍ତ ରାତ୍ରିରେ ଉପଭୋଗ କରୁଥିବା ବେଳେ ୩୧ ତାରିଖ ଶନିବାର ଶୀତଳ ଷଷ୍ଠୀରେ ମହାଦେବଙ୍କର ରୁଦ୍ରାଭିଷେକ ଅବସରରେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଓ ସ୍ଥାନୀୟ କର୍ପୋରେଟର ମନ୍ଦିରରେ ଠାକୁର ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସନ୍ଧ୍ୟାରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଥମେ କୁଆଖାଇ ନଦୀରୁ କଳସ ଯାତ୍ରା କରାଯାଇଥିଲା। ଏଥିରେ ବରପିତା, କନ୍ୟାପିତା ଓ ସହଧର୍ମିଣୀ ରେବତୀ ଓ ରଶ୍ମିତା ଯୋଗ ଦେଇଥିଲେ। ରାତ୍ର ୯ ଘଟିକାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇ ହସ୍ତଗଣ୍ଠି, ଜଉ କଉଡ଼ି ଓ ଖଇ କଉଡ଼ି ଇତ୍ୟାଦି କରାଯାଇଥିଲା। ୧୦୦ରୁ ଉର୍ଦ୍ଧ୍ୱ ବରଯାତ୍ରୀ ଯୋଗଦେଇ ଭୋଜନ କରିଥିବା ବେଳେ ଶନିବାର ସନ୍ଧ୍ୟା ୬ ଘଟିକାରୁ ରାତ୍ର ୮ ଘଟିକା ମଧ୍ୟରେ ଶୀତଳ ଷଷ୍ଠୀରେ ନଗର ପରକ୍ରମା କରି ବାଣ ରୋଷଣୀ, ଶଙ୍ଖ, ଘଂଟା, ଭେରୀ ତୂରୀରେ ପରିଭ୍ରମଣ କରିଥିଲେ। ଭିଏସ୍ଏସ୍ ନଗର ଭଜନ ସମରୋହ ଦଳ ଭଜନ ପରିବେଷଣ କରିଥିଲେ। ରାତ୍ରରେ ୧୫୦୦ରୁ ଉର୍ଦ୍ଧ୍ୱ ଭକ୍ତ ହରପାର୍ବତୀଙ୍କର ପ୍ରୀତିଭୋଜନରେ ଯୋଗଦେଇ ଭୋଜନ କରି ଆନନ୍ଦରେ ସମାପନ କରିଥିଲେ ବୋଲି ମନ୍ଦିରର ପ୍ରତିଷ୍ଠାତା ଓ ମ୍ୟାନେଜିଂ ଟ୍ରଷ୍ଟି ଶ୍ର୍ରୀ ବିଶ୍ୱନାଥ ମହାନ୍ତି ସୂଚନା ଦେଇଛନ୍ତି। ତାଙ୍କର ଧର୍ମପତ୍ନୀ ରେବତୀ ଓ ସ୍ଥାନୀୟ ବହୁ ବ୍ୟକ୍ତି ଓ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଖୁସିବ୍ୟକ୍ତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ