ଧର୍ମଶାଳା,୩୧ ମଇ (ହି.ସ.) - ରବି ଲାବଣ୍ୟ ଏକ ମାତ୍ର ଛାତ୍ରନେତା ଯିଏକି ଜୀବନ କାଳରେ ତିନି ତିନିଟି ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଥିଲେ । ସାଇକେଲ ଦୋକାନରେ ତାଙ୍କର ଜୀବନ କଟୁଥିଲା । ଶିକ୍ଷକତା, ସଫଳ ଅଭିନେତା ଏବଂ ଜଣେ ସାଲିଶ ବିହୀନ ଶ୍ରମିକ ନେତା ଥିଲେ । ବନ୍ଦେ ଉତ୍କଳ ଜନନୀ ଅନୁଷ୍ଠାନ ଗଢି ଓଡିଶାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରି ଓଡିଆ ଐତିହ୍ୟ ଗୌରବମୟ ପରମ୍ପରାକୁ ବଂଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଜନପ୍ରିୟ ଜନନେତା ତଥା ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ୮୮ ତମ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଧର୍ମଶାଳା ବ୍ଲକ କଳ୍ପତରୁ ଦାସ ଷ୍ଟାଡିୟମ ପରିସର ସଭାଗୃହରେ ଆୟୋଜିତ ଜୟନ୍ତୀ ସମାରୋହରେ ଆମ ଓଡିଶାର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍ଘାଟକ ଭାବେ ଯୋଗଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ । ରବି ଲାବଣ୍ୟ ଜଣେ ପ୍ରତିଭାବାନ୍ ଛାତ୍ରନେତା ଥିଲେ । ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ସେ ପ୍ରସ୍ତାବ ଦେବା ସହିତ ରବି ଲାବଣ୍ୟଙ୍କ ପରି ଅନେକ ଛାତ୍ରନେତା ତାଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ବନ୍ଦେ ଉତ୍କଳ ଜନନୀର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ରବି ଲାବଣ୍ୟ ଏକ ବିରାଟ ବିରଳ ପ୍ରତିଭା ଥିଲେ । ତାଙ୍କ ନେତୃତ୍ୱରେ ଛାତ୍ର ଆନ୍ଦୋଳନ ହେଉଥିବା ବେଳେ ଓଡିଶା ଥରହର ହୋଇପଡୁଥିଲା । ସେ ଖଟିଖିଆ ମେହନତି ମଣିଷଙ୍କ ପାଇଁ ଲଢେଇ କରି ସାଧାରଣ ଜନତାଙ୍କ ହୃଦୟକୁ ଜୟ କରିଥିଲେ । ମଣ୍ଡଳ କମିଶନକୁ ବିରୋଧ କରି ନିଜ ନାମ ରବି ଦାଶକୁ ବଦଳାଇ ରବି ଲାବଣ୍ୟ କରିଥିଲେ । ତାଙ୍କ ପରି ସ୍ୱାଭିମାନୀ ଓ ଆଦର୍ଶ ମଣିଷ ଆଉ ଜନ୍ମ ହେବେନାହିଁ ବୋଲି ଶ୍ରୀ ଘଡାଇ ମତବ୍ୟକ୍ତ କରିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ ସ୍ୱର୍ଗତ ଲାବଣ୍ୟ ତାଙ୍କ ପ୍ରତିପକ୍ଷଙ୍କ ସହିତ ସମ୍ପର୍କ ରଖିବା ସହିତ ତାଙ୍କର ପରାମର୍ଶ ନେଉଥିଲେ ବୋଲି ପ୍ରକାଶ କରିଥିଲେ । ସମାଜର ପୂର୍ବତନ ସମ୍ପାଦକ ସତ୍ୟ ରାୟ ଉତ୍ସବରେ ଅତିଥିଭାବେ ଯୋଗଦେଇ ରବି ଲାବଣ୍ୟ ସେବା, ତ୍ୟାଗ, କରୁଣା ଓ ସ୍ୱାଭିମାନର ପ୍ରତୀକ ଥିଲେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ରବି ଲାବଣ୍ୟଙ୍କ ପରି ପ୍ରତିଭାବାନ ବ୍ୟକ୍ତିଙ୍କ ଜୀବନୀକୁ ନେଇ ଗବେଷଣା ହେବା ଉଚିତ ବୋଲି କହିଥିଲେ । ଅବସରପ୍ରାପ୍ତ ପୋଲିସ ଅଫିସର ସୂର୍ଯ୍ୟମଣି ତ୍ରିପାଠୀ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶିଶିର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦଇ ସ୍ୱର୍ଗତ ଲାବଣ୍ୟଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ନବକଳିକା ଅନୁଷ୍ଠାନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇ ସ୍ୱର୍ଗତ ଲାବଣ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ଲାବଣ୍ୟଙ୍କ ଜ୍ୟେଷ୍ଠ ପୁତ୍ର ପ୍ରାଧ୍ୟାପକ ବଳଭଦ୍ର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ମରଣୀକା ସ୍ୱାଭୀମାନର ତୃତୀୟ ଭାଗକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପତ୍ରିକାର ସମ୍ପାଦକ ଡ. ପ୍ରଶାନ୍ତ ସ୍ୱାଇଁ ସମୀକ୍ଷା କରିଥିଲେ । ଓଡିଆ ଚଳଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ଧର୍ମଶାଳା ବାଣୀପୀଠର ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ କଣ୍ଠଙ୍କୁ ରବି ଲାବଣ୍ୟ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରେଟ ଓଡିଶା ପଲିଟିକାଲ ସର୍କସ ର ଦିବଙ୍ଗତ ହାସ୍ୟ ଅଭିନେତା ଅଜୟ ନାୟକଙ୍କୁ ଅନୁଷ୍ଠାନ ତରଫରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କର ସହଯୋଗୀ କଳାକାର ସଚିକାନ୍ତ, ବ୍ରଜ ସୁବୁଦ୍ଧି ଓ ରବିନ୍ଦ୍ର ବେହେରା ପୁରସ୍କାର ଗ୍ରହଣ କରିଥିଲେ । ଓଡିଆ ଚଳଚିତ୍ର ଅଭିନେତ୍ରୀ ମଧୁମିତା ମହାନ୍ତି ସମାରୋହରେ ଉଦ୍ଘୋଷିକା ଭାବେ ଯୋଗଦେଇଥିଲେ । ପତ୍ରିକା ସହ ସମ୍ପାଦିକା ସୁଭଦ୍ରା ଦାଶ, ପ୍ରେମଲତା ମହାରଣା, ବନ୍ଦେ ଉତ୍କଳ ଜନନୀର ସହ ସମ୍ପାଦିକା ମଧୁସ୍ମିତା ଦାଶ, ଉପସଭାପତି ରାମଚନ୍ଦ୍ର ତ୍ରିପାଠୀ, , ଅଧ୍ୟାପକ ମୁରଲୀଧର ମୋହାନ୍ତି, ସଂଯୋଜକ ପ୍ରଭାତ ପଣ୍ଡା, ନିତ୍ୟାନନ୍ଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ସ୍ୱର୍ଗତ ଲାବଣ୍ୟଙ୍କ କନିଷ୍ଠ ପୁତ୍ର ଆଇନଜୀବୀ ଶ୍ୟାମପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ