ପୁରୀ, ୩୧ ମଇ (ହି.ସ.)- ପୁରୀ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ ନିର୍ବାଚନ ମଣ୍ଡଳୀର ଗୁରୁତ୍ୱ ନିଆରା । ପୁରୀ ନିର୍ବାଚନ ମଣ୍ଡଳୀକୁ ତିନି ଦଶନ୍ଧି ଧରି ନିଜ କବଜାରେ ରଖିଥିବା ରାଜନେତାଙ୍କ ପରେ ଏବେ ପାଞ୍ଚବର୍ଷ ଜଣେ ନେତା ତିଷ୍ଠିବା କଷ୍ଟସାଧ୍ୟ ହୋଇପଡିଲାଣି । ସ୍ବର୍ଗତ ନେତା ମହେଶ୍ବରଙ୍କୁ ଟକ୍କର ଦେଇ ଜୟନ୍ତ ଷଡ଼ଙ୍ଗୀ (ନିଲୁ) ନଗରପାଳ ପଦବୀ ପରେ ବିଧାୟକ ପଦବୀ ଅକ୍ତିଆର କରିଥିଲେ । ସେ ପାଞ୍ଚବର୍ଷ ଲୋକଙ୍କ ସହ ସଠିକ ପରିଚାଳନା କରିନପାରିବାରୁ ୨୦୨୪ ନିର୍ବାଚନରେ ହାରିଯାଇଥିଲେ । ପରେ ସୁନିଲ ମହାନ୍ତିଙ୍କ ଆବିର୍ଭାବ ହୋଇଥିଲା । ସେ ମଧ୍ୟ ଜନତାଙ୍କ ସହ ଆସ୍ତେ ଆସ୍ତେ ହାତଛଡା ନୀତି ଧରୁଥିବା ଜନତା କହୁଛନ୍ତି । ଲୋକଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା, ସଭା ସମିତି, ପର୍ବ ପର୍ବାଣୀ ବିଭିନ୍ନ କାର୍ଯ୍ୟରେ ସହଯୋଗ ନକଲେ ଲୋକେ ଧୀରେ ଧୀରେ ଆଡେଇ ଦେବାର ନଜିର ରହିଛି । ବିଧାନସଭାରେ ଓ ବିଭିନ୍ନ ଗଣମାଧ୍ୟମରେ ବାଇଟ ଦେଇ ପ୍ରଚାରିତ ହେଲେ ମଧ୍ୟ ଜନତାଙ୍କ କାମ ନକଲେ ଲୋକେ ପସନ୍ଦ କରିବେ ନାହିଁ । ଜଣେ ପୂର୍ବତନ ଦକ୍ଷ ନେତା ବିଧାୟକ ହୋଇଥିବା ସମୟରେ ଦିନ ୨ଟା ପର୍ଯ୍ୟନ୍ତ ଶୋଇ ରହିବା ଯୋଗୁ ଲୋକେ ତାଙ୍କୁ ପ୍ରତ୍ଯାଖ୍ଯାନ କରିଥିଲେ । ସେହି ଭୁଲକୁ ସୁଧାରିବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ଅକୃତକାର୍ଯ୍ଯ ହେଉଛନ୍ତି । ସେହିପରି ବୟସ୍କ ନେତା ଯିବା ପରେ ଯୁବ ନେତୃତ୍ବ ପାଞ୍ଚ ବର୍ଷରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଆଗାମୀ ନିର୍ବାଚନ ପାଇଁ ପୁରୀ ସଦର ନିର୍ବାଚନ ମଣ୍ଡଳୀ ଭୋଟର ମାନେ ନୂଆ ବିଧାୟକ ଚଏସ କରିବା ପାଇଁ ଆଲୋଚନା ହେଉଛି । ଜଣେ ଯୁବ ନେତା ପଲ୍ଲୀରୁ କାମ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ପୁରୀ ସହରବାସୀଙ୍କ ସ୍ନେହ ସଂଗଠନକୁ ଛାଡିପାରି ନାହାନ୍ତି । ଦିଲ୍ଲୀରେ ରହୁଥିଲେ ସୁଦ୍ଧା ଲୋକଙ୍କ କାମ ପାଇଁ ବାରମ୍ବାର ପୁରୀ ଆସୁଛନ୍ତି । ବିଭିନ୍ନ ସଭାସମିତି, ସାହି ଓ ଯାଗାଘର, ବିଭିନ୍ନ ପର୍ବପର୍ବାଣୀ, ବିଭିନ୍ନ ଯୁବକ ସଂଘ ବୈଠକ, ବିଭିନ୍ନ କଳା ଓ କଳାକାରଙ୍କ ବାର୍ଷିକ ଉତ୍ସବରେ ଯୋଗଦେଇ ଲୋକଙ୍କ ସେବାରେ ଲାଗିପଡିଛନ୍ତି । ଏଣୁ ସହରବାସୀ ଆଗାମୀ ନିର୍ବାଚନରେ ସେହି ଯୁବ ନେତାଙ୍କୁ ତୃତୀୟ ବିକଳ୍ପ ଭାବେ ମନୋନୀତ କରୁଥିବା ଭିତିରି ଭିତିରି ଚର୍ଚ୍ଚା ହେଉଛି । ସେହିପରି ବର୍ତ୍ତମାନର ବିଧାୟକ ସୁନିଲ ମହାନ୍ତି ତାଙ୍କ ପିତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଲାଗିପଡିଛନ୍ତି । ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଲୋକଙ୍କ ସମସ୍ଯାକୁ ନେଇ ବିଧାନସଭାରେ ଉପସ୍ଥାପନା କରିବା ଶୈଳୀ ବେଶ ଉଚ୍ଚକୋଟୀର । ସେ ମଧ୍ୟ ତାଙ୍କ ପିତାଙ୍କ ପରି ବିଧାୟକ ପଦବୀକୁ ତିନି ଟର୍ମ ଧରି ନିଜ ହାତରେ ରଖିବା ପାଇଁ ଚେଷ୍ଟା କରୁଛନ୍ତି । କେନ୍ଦ୍ର ଓ ରାଜ୍ଯରେ ବିଜେପି ସରକାର ଥିବାରୁ ଆଗାମୀ ଦିନରେ ନିଲୁ ଷଡ଼ଙ୍ଗୀ ଜିତିବା ପାଇଁ ଆଶା ରଖିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏବେ ଠାରୁ ନେତାମାନେ ଦଳୀୟ ସଂଗଠନ ସଜାଡିବାରେ ବ୍ଯସ୍ତ ରହୁଛନ୍ତି । ପଞ୍ଚାୟତରେ ବୁଲି ବୁଲି ସଂଗଠନ କରୁଥିବା ଦେଖିବାକୁ ମିଳୁଛି । ଆଉ ଚାରିବର୍ଷ ପରେ ରାଜନୈତିକ ପରିସ୍ଥିତି କଣ ଥିବ ବିଭିନ୍ନ ଦଳୀୟ ସଂଗଠନ କିପରି ଅବସ୍ଥାରେ ରହିବ ସେତେବେଳକୁ ସମୟ କହିବ କିଏ ଆଗାମୀ ବିଧାୟକ ହେବ ।
ହିନ୍ଦୁସ୍ଥାନ ସମାଚାର / ବିଜୟ