ଭୁବନେଶ୍ୱର, ୩୧ ମଇ (ହି.ସ.) - ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆଜି ଅର୍ଥାତ୍ ମଇ ୩୧ରେ ଚାକିରିରୁ ଅବସର ନେଇଥାଆନ୍ତେ ଶ୍ରୀ ଷଡଙ୍ଗୀ।କିନ୍ତୁ ତା’ ପୂର୍ବରୁ ଗତକାଲି ଭିଜିଲାନ୍ସ ଚଢାଉ କରିଥିଲା।
ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ସମ୍ପତି ଦେଖି ଭିଜିଲାନ୍ସର ଆଖି ଟେରା ହୋଇଯାଇଛି। ବାବୁଙ୍କ ଘରୁ ନଗଦ ୨.୫୬ କୋଟି ଟଙ୍କା ମିଳିଛି। ଭିଜିଲାନ୍ସ ଟିମ୍ ଗତକାଲି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ଘର ଯାଂଚ ପାଇଁ ଯାଇଥିବା ବେଳେ ଘର ଲୋକ କବାଟ ନ ଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍ ଫିଙ୍ଗି ଚାଲିଥିଲେ। ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା। ୧୦ରୁ ଅଧିକ କର୍ମଚାରୀ ଟଙ୍କା ଗଣି ଗଣି ନାକେଦମ ହୋଇଥିଲେ। ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା। ଭିଜିଲାନ୍ସର ୭ଟି ଟିମ୍ ଗତକାଲି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ୱରସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆସ୍ଥିତ ବାସଭବନ ଓ ଲୋକେଇପଶିସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ଆଦି ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିଥିଲା।
ଯାଂଚ ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ୱରରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍, ଅନୁଗୁଳରେ ୨ଟି ଦୁଇ ମହଲା କୋଠା, ପୁରୀ ପିପିଲି ଅଂଚଳରେ ଗୋଟିଏ ଫ୍ଲାଟ୍ ଠାବ ହୋଇଥିଲା। ଭୁବନେଶ୍ୱର ଡୁମଡୁମା ଅଂଚଳରେ ଥିବା ୧୫୩୦ ବର୍ଗଫୁଟରେ ନିର୍ମିତ ଦାମୀ ଫ୍ଲାଟ୍ ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଅନୁଗୁଳରେ ଥିବା ଦୁଇଟି କୋଠାର ମୂଲ୍ୟ ୨ କୋଟିରୁ ଅଧିକ ହେବ। ସେହିପରି ପିପିଲି ଶିଉଳା ଅଞ୍ଚଳରେ ୧୧୦୦ ବର୍ଗଫୁଟରେ ନିର୍ମିତ ଫ୍ଲାଟ୍ ର ମୂଲ୍ୟ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବୋଲି ଆକଳନ କରାଯାଇଛି। ପୁରୀ ଓ ଅନୁଗୁଳର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ୍ ମଧ୍ୟ ଠାବ ହୋଇଛି। ଯେଉଁଥିରେ ପୁରୀରେ ୪ଟି ଓ ଅନୁଗୁଳରେ ୩ଟି ପ୍ଲଟ୍ ରହିଛି। ଏସବୁର ମୂଲ୍ୟ ୨.୫କୋଟିରୁ ଊର୍ଦ୍ଧ୍ୱ ହେବ। ଏଥିସହିତ ବ୍ୟାଙ୍କଜମା, ବୀମା ଓ ବଣ୍ଡର ସନ୍ଧାନ ମିଳିଛି। ଯାହାର ମୂଲ୍ୟ ୧.୫କୋଟି ଟଙ୍କା ହେବ। ଧରପଗଡ଼ ସମୟରେ ଭୁବନେଶ୍ୱର ଡୁମଡୁମା ଘରୁ ନଗଦ ୧.୩୪ କୋଟି ଓ ଅନୁଗୁଳ ଘରୁ ୧.୨୨ କୋଟି ଟଙ୍କା ସହିତ ମୋଟ ୨,୫୬,୦୦୦,୦୦ ଟଙ୍କା ଜବତ କରାଯାଇଛି। ୧୧୪୧ ଗ୍ରାମ୍ ସୁନାଗହଣା, ୫୦୦ ଗ୍ରାମର ରୁପା, ବିଦେଶରୁ ଆମଦାନି କରାଯାଇଥିବା ୧୫ଟି ଦାମୀ ହାତଘଂଟା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ସହିତ ଗୋଟିଏ କାର ଠାବ କରାଯାଇଛି। ଏହାଛଡ଼ା ସେ ସେୟାର ବଜାରରେ ୨.୭ କୋଟିର ପୁଞ୍ଜିନିବେଶ ମଧ୍ୟ କରିଛନ୍ତି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ମିଶାଇଲେ ସମ୍ପତି ପରିମାଣ ୧୫ କୋଟି ଟପିଯିବ। ତେବେ ଯାଂଚ ଜାରି ରହିଥିବାରୁ ସମ୍ପତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
ଗତକାଲିର ଚଢ଼ଉରେ ୮ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର, ୬ ଜଣ ଏସ୍ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା