ସମ୍ବଲପୁର, ୦୧ ଜୁନ୍ (ହି.ସ.) - ସମଗ୍ର ଭାରତବର୍ଷରେ ବର୍ଷକୁ ପ୍ରାୟ ୧୪ ଲକ୍ଷ ଲୋକ ତମାଖୁ ସେବନ ଯୋଗୁ ଜୀବନ ହରାଉଛନ୍ତି। ପ୍ରତି ବର୍ଷ ଭାରତରେ ବିଭିନ୍ନ କାରଣରୁ ଯେତିକି ମୃତ୍ୟୁବରଣ କରୁଛନ୍ତି ତା’ର ପ୍ରାୟ ୧୦ ପ୍ରତିଶତ କେବଳ ତମାଖୁ ଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ଜନସାଧାରଣ, ବିଶେଷକରି ଯୁବ ସମାଜ ଏଥିରୁ କିପରି ମୁକ୍ତି ପାଇବେ, ତାକୁ ଏବେ ଗମ୍ଭିରତାର ସହ ନେବାର ସମୟ ଆସିଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନଭେନ୍ସୟନ୍ ହଲ୍ ଠାରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ ଉପଲକ୍ଷେ ଆୟୋଜିତ ସଚେତନତା ଅଭିଯାନର ଶୁଭାରମ୍ଭ ଅବସରରେ କହିଛନ୍ତି । ଏହି ଅବସରରେ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଆରମ୍ଭ ହେଉଥିବା ସଚେତନତା ଅଭିଯାନରେ ସମସ୍ତେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ଅବସରରେ ନିଶା ନୁହେଁ, ନିଜ ଜୀବନକୁ ଆପଣାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, ତମାଖୁ, ବିଷାକ୍ତ ମଦ ଓ ଡ୍ରଗ୍ସ ବ୍ୟବହାର ଓ ପ୍ରସାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ତମାଖୁ ନିଷେଧ ଦିବସ ମଇ ୩୧ ତାରିଖ ଠାରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୨୬ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୦୨ ଏବଂ ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ୨୫ରୁ ୨୦୨୬ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ଏହି ସଚେତନତା ଅଭିଯାନ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତମାଖୁଜନିତ ମୃତ୍ୟୁକୁ ରୋକିବା ପାଇଁ କେବଳ ଗୋଟିଏ ଉପାୟ ହେଉଛି ସଚେତନତା। ଲୋକମାନେ ଏହାର ଭୟାବହତା ଜାଣିବା ଓ ଭଲ ଭାବେ ସଚେତନତା ପରେ ବି ଏଥିରୁ ଦୂରେଇ ପାରୁନାହାନ୍ତି। ଯଦି ଗୋଟିଏ ବ୍ୟକ୍ତିକୁ ସଚେତନ କରାଇ ପାରୁଛେ, ତେବେ ଆମେ ନିଶ୍ଚିତ ତା’ର ଜୀବନ ବଂଚାଇ ପାରୁଛେ। ତମାଖୁ ସେବନର ଅପକାରିତା ଏବଂ ସ୍ୱାସ୍ଥ୍ୟଗତ ଭୟାବହତା ଉପରେ ସଚେତନତା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସଚେତନତା ଅଭିଯାନକୁ ଘରେ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତମାଖୁ ସେବନର ଭୟାବହତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖଗହ୍ୱର କର୍କଟ କିମ୍ବା ଫୁସଫୁସ୍ କର୍କଟର ଶତ ପ୍ରତିଶତ କାରଣ ହେଉଛି ତମାଖୁ ଏବଂ ସିଗାରେଟ୍ ସେବନ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଦୁନିଆରେ ଏକ ମାତ୍ର ସତ୍ୟ ହେଉଛି ମୃତ୍ୟୁ। ତେବେ ଏହା କଣ ଯନ୍ତ୍ରଣାଦାୟକ ହେବା ନିତ୍ୟାନ୍ତ ଆବଶ୍ୟକ ? ତେଣୁ ଏକ ସୁସ୍ଥ ଜୀବନ ଶୈଳୀକୁ ଆପଣାଇବା ପାଇଁ ସମସ୍ତେ ସଚେତନ ହେବା ଉଚିତ୍ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ତମାଖୁ, ସିଗାରେଟ୍ ଓ ନିଶାଦ୍ରବ୍ୟର ବିଜ୍ଞାପନ ମଧ୍ୟ ଯୁବ ସମାଜ ଉପରେ କୁପ୍ରଭାବ ପକାଉଛି। ଏହି ଛଳନାପୂର୍ଣ୍ଣ ବିଜ୍ଞାପନ ପ୍ରତି ମଧ୍ୟ ପ୍ରତ୍ୟେକ ସଜାଗ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ ପୁଣି କହିଥିଲେ ଯେ ନିଶା ଦ୍ରବ୍ୟ ଅପବ୍ୟବହାର, ବିଷାକ୍ତ ମଦ ଓ ଚୋରା ମଦର ବ୍ୟାପକତାକୁ ରୋକିବାକୁ ଅବକାରୀ, ଗୃହ ବିଭାଗ ଓ ନିଶା ନିୟନ୍ତ୍ରଣ ବ୍ୟୁରୋର ମିଳିତ ଉଦ୍ୟମରେ ଧରପଗଡ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଝଞୠକୁ କ୍ଷମତା ସମ୍ପର୍ଣ୍ଣ କରାଯାଇ ତମାଖୁ ସହିତ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବିଶେଷ ଭାବେ ଚୋରା ଚାଲଣ ହେଉଥିବା ନିଶା ସାମଗ୍ରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଚେଷ୍ଟା ଜାରି ରହିଛି । ତମାଖୁ ସହିତ ସବୁ ପ୍ରକାର ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଖୁବ୍ ଶୀଘ୍ର ନୂତନ ଅବକାରୀ ନୀତି ପ୍ରଣୟନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରାଇବା ପାଇଁ ଏବଂ ଅପମିଶ୍ରିତ, ବିଶାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନର ଲୋଗୋ, ଟି.ଭି. ସ୍ପଟ୍, ଥିମ୍ ସଙ୍ଗ୍ ଏବଂ ସୂଚନା ପୁସ୍ତିକା ଉନ୍ମୋଚନ କରିଥିଲେ । ରାଜ୍ୟ ସ୍ତରୀୟ ଏହି ସଚେତନତା କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଏବଂ ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ, ନିଶା ବ୍ୟବହାରର ଫଳ ହେଉଛି ମୃତ୍ୟୁ। ତେଣୁ ଏଥିପ୍ରତି ସଚେତନତା ବୃଦ୍ଧି କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ତମାଖୁ, ମଦ, ଡ୍ରଗ୍ସ୍ର ବ୍ୟବହାର ଓ ପ୍ରସାର ରୋକିବା ପାଇଁ ଏଭଳି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ସମାଜର ଶେଷ ଲୋକ ପର୍ଯ୍ୟନ୍ତ ଆମେ ଏହି ସଚେତନତା ବାର୍ତା ପହଂଚାଇବୁ। ଏଥିରେ ଅନ୍ୟାନ୍ୟ ବିଭାଗ ଓ ସିଭିଲ ସୋସାଇଟି ଯୋଗଦାନ ରଖିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏକ୍ସସାଇଜ ଆକ୍ଟରେ ଦୋଷୀ ପ୍ରତି ଦଣ୍ଡବିଧାନ ଆହୁରି କଡାକଡି ହେବ ବୋଲି ସେ ସତର୍କ କରାଇଥିଲେ। ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଘରେ ଘରେ ପହଂଚାଇବା ଆମ ସମସ୍ତଙ୍କ କେବଳ ଦାୟିତ୍ୱ ନୁହେଁ ଓ କର୍ତବ୍ୟ ମଧ୍ୟ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ସମେତ ଅବକାରୀ ଅଧିକ୍ଷକ, ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ