ଭଦ୍ରକ, ୨ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍, ଜିଲ୍ଲା ପ୍ରଶାସନ ଓ ଓଡିଶା କ୍ରିକେଟ୍ ଆସୋସିଏସନ୍ ର ମିଳିତ ସହଯୋଗରେ ଆୟୋଜିତ, ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଜୁନ୍ ୨ ତାରିଖ, ସୋମବାର, ସକାଳ ୮ଟା ବେଳେ ରେଳବାଇ କ୍ରୀଡାଙ୍ଗନରେ ଉଦଘାଟିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି, ବାସୁଦେବପୁର ଓ ଭଦ୍ରକ ପ୍ରଭୃତି ବ୍ଲକ ରୁ ମୋଟ ୧୦୭ ଜଣ କିଶୋର କ୍ରିକେଟର୍ ୧୫ ବର୍ଷରୁ କମ୍ ଓ ୧୨ ବର୍ଷରୁ କମ୍ ବାଳକ ବିଭାଗରେ ଯୋଗ ଦେଇଛନ୍ତି। ଓଡିଶା କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭି. ଭେଙ୍କଟରାମ୍, ପୂର୍ବତନ ଭାରତ-ଏ ଖ୍ୟାତି ସମ୍ପର୍ଣ୍ଣ କ୍ରିକେଟର୍ ସଞ୍ଜୟ ସତପଥୀ, ପୂର୍ବତନ ଓଡିଶା ରଣଜୀ କ୍ରିକେଟର୍ ଦେବଦତ ଲେଙ୍କା, ଟିମ୍ ଓଡ଼ିଶାର କୋଚ୍ କେ.ଭି.ପ୍ରସାଦ, ଓସିଏ ସଂଯୋଜକ ଅଭିଳାଷ ହରିଚନ୍ଦନ, ପ୍ରଶିକ୍ଷଣ ଦାୟିତ୍ୱ ଗ୍ରହଣ କରିଥିବା ବେଳେ, ଭଦ୍ରକ ଜିଲ୍ଲାର ତିନି ପ୍ରମୁଖ ପ୍ରଶିକ୍ଷକ, ଚନ୍ଦନ ନାୟକ, ଅସୀତ ଦାସ ଓ ରାଜେଶ ନାୟକ ସହଯୋଗୀ ପ୍ରଶିକ୍ଷକ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତିଙ୍କ ନେତୃତ୍ୱରେ ଗଠିତ ଶିବିର ପରିଚାଳନା କମିଟିରେ ରବିନାରାୟଣ ଓଝା, ଶମ୍ଭୁ ଜେନା ଓ ସଂଗ୍ରାମୀ ଦେବୀଦତ ନାୟକ ସଦସ୍ୟ ଅଛନ୍ତି। ଏହି ସପ୍ତଦିବସୀୟ ଶିବିର ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଯୋଗ୍ୟ ଯେ ଏହି ଶିବିର କାଳରେ ପ୍ରତ୍ୟେକ କିଶୋର କ୍ରିକେଟର୍ ମାନଙ୍କ ପ୍ରତିଭା ଓ ପ୍ରଦର୍ଶନର ମୂଲ୍ୟାୟନ କରାଯିବ ଓ ପିତାମାତାଙ୍କ ସମ୍ମତି ଥିଲେ ସୁନିର୍ବାଚିତ କିଶୋର ମାନଙ୍କ ପାଇଁ କଟକ ସ୍ଥିତ ସ୍କୁଲ ମାନଙ୍କରେ ଅଧ୍ୟୟନ ବ୍ୟବସ୍ଥା ସହିତ ଓଡିଶା କ୍ରିକେଟ୍ ଏକାଡେମୀରେ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ଅଧ୍ୟୟନ ଓ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ କୌଣସି ଶୁଳ୍କ ଦେବାପାଇଁ ପଡିବ ନାହିଁ। ସୋମବାର ସକାଳ ୮ ଟା ବେଳେ ଏହି ଶିବିର ଉଦଘାଟିତ ହୋଇଥିଲା। ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ବିଜୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ଧୀରେନ୍ ପଲାଇ ଏ ଶିବିର ଆୟୋଜନ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଭଦ୍ରକ ପ୍ରତି ସ୍ୱତନ୍ତ୍ର ଅନୁରାଗ ଓ ଅନୁକମ୍ପା ପାଇଁ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ନିକଟରେ ଆସୋସିଏସନ୍ ତରଫରୁ କୃତଜ୍ଞତା ଅର୍ପଣ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭେଙ୍କଟରାମ୍ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ନିଜର ଚଳଚଂଚଳତା ହେତୁ ସାରା ଓଡ଼ିଶାରେ ପ୍ରଂଶସା ସାଉଁଟୁଛି ବୋଲି ମନ୍ତବ୍ୟ ଦେବା ସହ ଶିବିରାର୍ଥୀ ମାନଙ୍କ ପାଇଁ ଅନେକ ମୂଲ୍ୟବାନ ବିନ୍ଦୁର ଅବତାରଣା କରିଥିଲେ। ଅନ୍ୟତମ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ମହାନ୍ତି କ୍ରିକେଟ୍ ସମେତ ଅନ୍ୟ ସମସ୍ତ କ୍ରୀଡାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହାୟତା ଓ ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ ବୋଲି ମନ୍ତବ୍ୟ ଦେଇଥିଲେ। ଆସୋସିଏସନ୍ ର ଯୁଗ୍ମ ସମ୍ପାଦକ ସୁଦାମ ନାୟକ ଓ ସଦସ୍ୟ ସୁଶୀଲ ପଟ୍ଟନାୟକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ଅଧିବକ୍ତା ତଥା ପତ୍ରକାର, ରୋଟାରୀୟାନ୍ ଅତିଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ