ସୁବର୍ଣ୍ଣପୁର, 1 ଜୁନ୍ (ହି.ସ.)
ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ଓଡିଶାରେ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ଗଣସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନର ଆଧିକାରିକ ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅଭିଯାନ ଓଡିଶାରେ ସ୍ୱାସ୍ଥ୍ୟ ସଚେତନତାକୁ ବଢ଼ାଇବା ସହ ଏକ ସୁସ୍ଥ, ନିରୋଗ, କର୍ମଠ ଓ ବିକାଶଶୀଳ ଓଡିଶା ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ। ଆମ ସଂକଳ୍ପ ନିଶା ନୁହେଁ, ଜୀବନ ! ବାର୍ତ୍ତାକୁ ଲୋକମାନଙ୍କ ମନରେ ସ୍ଥାନ ଦେଇ ସକାରାତ୍ମକ ପରିବର୍ତ୍ତନ ଆଣିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଅବକାରୀ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଏହି ମହତ୍ୱକାଂକ୍ଷୀ ଲୋକାର୍ପଣ ଆଭାସୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ସଂସ୍କୃତି ବିଭାଗ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅଭିଯାନକୁ ଚାରିଟି ପର୍ଯ୍ୟାୟରେ ଆୟୋଜିତ କରାଯିବାକୁ ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟ ଆସନ୍ତା ୧ ଜୁନ ରୁ ୨୬ ଜୁନ ୨୦୨୫ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ବିଭିନ୍ନ ସ୍ଥାନରେ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ ଚାଲିବ।
ଏହି ଅଭିଯାନର ଲକ୍ଷ୍ୟ ଜନମାନସରେ ଏକ ନୂତନ ଚେତନା ଜାଗ୍ରତ ସହ ନିଶାଦ୍ରବ୍ୟ ବିରୋଧରେ ଏକ ଅବିରତ ଲଢ଼ାଇର ସୂତ୍ରପାତ କରିବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ