ଭୁବନେଶ୍ୱର/ ସମ୍ବଲପୁର, ଜୁନ ୦୧ (ହି.ସ.)
‘କୃଷି
ଭବନ’
କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ - ଧର୍ମେନ୍ଦ୍ର ପ୍ରଧାନ
– କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ‘ଶୀତଳ ଷଷ୍ଠୀ’ର ପବିତ୍ର ଅବସରରେ ସମ୍ବଲପୁରରେ କୃଷି ଭବନର ଉଦଘାଟନ କରିବା ସହ
ମୂର୍ତ୍ତିକା ଭବନ ପରିଦର୍ଶନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ
ପ୍ରଧାନ ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସମ୍ବଲପୁର ଏକ କୃଷି
ପ୍ରଧାନ ଅଞ୍ଚଳ । ଆଜି ଲୋକାର୍ପିତ ଅତ୍ୟାଧୁନିକ କୃଷି ଭବନ ସମ୍ବଲପୁରର କୃଷି ଗବେଷଣା ସହ କୃଷି
କ୍ଷେତ୍ରକୁ ନୂଆ ପରିଚୟ ଦେବା ସହ ଅନ୍ନଦାତାଙ୍କ ଉତ୍ତରୋତ୍ତର ଉନ୍ନତି ଦିଗରେ ବିଶେଷ ସହାୟକ ହେବ
। ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ ଆହୁରି କହିଛନ୍ତି ଯେ
ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାରେ ଓଡ଼ିଶାର ଗରିବ, ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା
ଦିଗରେ ଡବଲ ଇଞ୍ଜିନ ସରକାର ସମର୍ପିତ । ନୂଆ ସରକାରର ଶାସନକୁ ଏକ ବର୍ଷ ପୂର୍ତ୍ତି ହେବାକୁ
ଯାଉଛି । ଲମ୍ବା ସମୟ ଧରି ଓଡ଼ିଶାର ଥିବା ଆବଶ୍ୟକତାକୁ ଡବଲ ଇଞ୍ଜିନ ସରକାର ପୂରଣ କରୁଛନ୍ତି ।
ପୂର୍ବ ସରକାର ସୋହେଲାରେ ଧାନ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋନସ ଦେବା ପାଇଁ ପ୍ରତିଶ୍ରୁତି
ଦେଇଥିଲେ ମଧ୍ୟ ତାହାକୁ ପୂରଣ କରିନଥିଲେ । ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଇନପୁଟ
ସବସିଡିକୁ ମିଶାଇ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟର
ଖରିଫ ଓ ରବି ଧାନ ସଂଗ୍ରହ ପ୍ରାୟ ୯୦ ହଜାରରୁ ୧ ଲକ୍ଷ ମେଟ୍ରିକ୍ ଟନ କିଣାଯାଉଛି । ରାଜ୍ୟ
ସରକାର ଧାନ କିଣା ବାବଦକୁ ନିଜସ୍ୱ ବଜେଟରୁ ପ୍ରାୟ ୮୦୦୦ କୋଟି ଟଙ୍କା ଚାଷୀମାନଙ୍କୁ ଦେଉଛନ୍ତି
। ସୁଭଦ୍ରା ଯୋଜନାରେ ପ୍ରାୟ ଏକ କୋଟି ମାଆ ଭଉଣୀମାନଙ୍କୁ ୧୦,୦୦୦ କୋଟି ଦିଆଯାଇଛି, ଯାହା ସେମାନଙ୍କୁ ସଶକ୍ତ କରିଛି । ହିତାଧିକାରୀମାନଙ୍କୁ ଡିବିଟି
ଜରିଆରେ ସିଧାସଳଖ ସହାୟତା ରାଶି ପ୍ରଦାନ ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓଡ଼ିଶାର ବିକାଶ
ଗତିକୁ ତ୍ୱରାନ୍ୱିତ କରୁଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କୁ
ପୁଷ୍ଟିକର ଖାଦ୍ୟ ଦେଇ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ବିକଶିତ କରିବାର ଦାୟିତ୍ୱ ନିଆଯାଇଛି
। ଶ୍ରୀ ପ୍ରଧାନ ଏହି ଅବସରରେ ସମ୍ବଲପୁର କୃଷି
ଭବନ ପରିସରରେ “ମାଆ
ପାଇଁ ଗଛଟିଏ” ଅଭିଯାନରେ
ବୃକ୍ଷରୋପଣ କରିଥିଲେ ।
ଏହି ଉଦଘାଟନୀ
କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ସମ୍ବଲପୁର
ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା