ସୁବର୍ଣ୍ଣପୁର, ୧୪ ଜୁନ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଜିଲ୍ଲାରେ ବର୍ଷାରେ ଚାଷୀର ଧାନ କ୍ଷତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାର ସର୍ଭେ ହୋଇପାରିନି । ଏହା ସହ ଇନପୁଟ ସବସିଡି ମଧ୍ୟ ମିଳିପାରିନି । ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀକୁ କଟନି ଛଟନିର ଶିକାର ହେବାକୁ ପଡୁଛି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ସମସ୍ତ ମଣ୍ଡିମାନଙ୍କୁ ବଡ ଟ୍ରକ୍ ଗୁଡିକରେ ଧାନ ଉଠାଇବାକୁ ମନା କରିଥିବାରୁ ସ୍ଥାନୀୟ ଟ୍ରକ୍ ମାଲିକ ମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହାଦ୍ୱାରା ଛୋଟ ଛୋଟ ଗାଡ଼ିରେ ଧାନ ପରିବହନ କରି ଚାଷୀମାନେ ଦିନ ଦିନ ଧରି ମଣ୍ଡିରେ ଧାନ ବିକିବାକୁ ଅପେକ୍ଷା କରିବାକୁ ପଡୁଛି । ଫଳରେ ବିଗତ ବର୍ଷ ମାନଙ୍କରେ ଚାଷୀ ଏହି ସମୟରେ ତାହାର କଷ୍ଟ ଉପାର୍ଜିତ ଫସଲ ବିକ୍ରି କରି ଖୁସିରେ ରହୁଥିବା ବେଳେ ଏହି ବର୍ଷ ଧାନ ବିକ୍ରି କରି ନପାରି ଚିନ୍ତାରେ ରହିଛି । ଏହି ସବୁ ଘଟଣାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଧ୍ୟାନ ଦେଇ ଶୀଘ୍ର ସମାଧାନ ନକଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ ଓ ଟ୍ରକ୍ ମାଲିକ ସଂଘ ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଚାଷୀ ନେତା ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ