ଭଦ୍ରକ, ୧୪ ଜୁନ୍ (ହି.ସ.) - ରଜ ଆସିଲେ ମାମୁଁଘର ଗାଁ ଭାରି ମନେପଡେ। ରଜଦୋଳି, ପୋଡ଼ପିଠା, ରଜପାନ ଓ ମନମତାଣିଆ ଛୁଙ୍କପଖାଳର ବାସ୍ନା ଆମକୁ ବିମୋହିତ କରେ। ଝିଅବୋହୂମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଓ ଶିଶୁମାନଙ୍କ ନାଚଗୀତ ଓ ସାରସ୍ୱତ ସାଧକଙ୍କ ସମ୍ମେଳନ ସହିତ ତିହିଡ଼ି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ଚଉଁରୀ ଗାଁରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଚକା ଚକା ଭଉଁରୀ ମାମୁଁଘର ଚଉଁରୀ। ଏହି ଚଉଁରୀ ଗାଁରୁ ଉତ୍କଳୀୟ ସଂସ୍କୃତିର ପୁନରୁଥାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବଦଳିଯାଉଥିବା ସମାଜ ଓ ଜୀବନ ପ୍ରେକ୍ଷାପଟ୍ଟରେ ମାଟିର ଏ ନିଆରା ସାଂସ୍କୃତିକ ପର୍ବକୁ ଉଜ୍ଜୀବିତ କରିବା ଲାଗି ଚଉଁରୀ ବଡ଼ଦାଣ୍ଡରେ ଏ ସମାଗମ ନିଶ୍ଚିତ ଭାବେ ଅଭିନନ୍ଦନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ରଜବତୀ ସାଂସ୍କୃତିକ ସଂଗଠନର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟ ଓ ସଂଗଠନର ସଦସ୍ୟ ତଥା ପୂର୍ବତନ ସରପଂଚ ଅଜୟ କୁମାର ରାଉତଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଂଟିଆ ଯୋଗ ଦେଇ ରଜ ମହୋତ୍ସବ ସଂସ୍କୃତି ଓ ପରମ୍ପରାକୁ ମନେ ପକାଇବା ସହିତ ଭାଇଚାରାର ସମ୍ପର୍କ ସୃଷ୍ଟି କରିଥାଏ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ପାଳିଆ କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ଯୋଗ ଦେଇ ସଂସ୍କୃତି ଓ ପରମ୍ପରାର ପର୍ବ ରଜ ସମସ୍ତଙ୍କ ମନରେ ଉଲ୍ଲାସ ଭରିଦିଏ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଓ ଶିକ୍ଷାବିତ୍ ସୋମନାଥ ପାଢ଼ୀ, ସମାଜସେବୀ ପ୍ରଦୋଷ ସ୍ୱାଇଁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସଂଗଠନର ସମ୍ପାଦକ ରତିକାନ୍ତ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରମେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମହୋତ୍ସବରେ କବୟତ୍ରୀ ବିଶ୍ୱମୈତ୍ରୀ ନାୟକ ଓ ସୁରୁଚୀପ୍ରଭା ଦାସଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। କବି ବାବୁରାମ ରାଉତ, ବସନ୍ତ ଦାସ, ଦେବେନ୍ଦ୍ର ମହାଳିକ, ଶଶିକାନ୍ତ ବେହେରା, ରୁବିଲତା ଦାସ, ବୈକୁଣ୍ଠନାଥ ଓଝା, ମୁକୁନ୍ଦଦେବ ନାୟକ, ମଥୁରାମୋହନ ବେହେରା, ସୁଧାରଂଜନ ମହାନ୍ତି, ଦ୍ୱାରିକାନାଥ ଦାସ, ନକୁଳ ସେନାପତି, ଅବଦୁଲ ଦୟାନ, ସାବିତ୍ରୀ ବାନାର୍ଜୀ, ଯଯାତିକେଶରୀ ଦାସ, ଶଶାଙ୍କଶେଖର ପଣ୍ଡା ପ୍ରମୁଖ ବହୁ କବି କବିତା ପାଠ କରିଥିଲେ। ଏହି ଅବସରରେ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ‘ଭାରତର ବିଜୁଳି କନ୍ୟା’ନାମକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସଂଗଠନ ପକ୍ଷରୁ ଉମାକାନ୍ତ ଦାସ, ଗୋଲକ ପଣ୍ଡା, ସୋମାନି ଦାସ, ଶୁଭଶ୍ରୀ ଦାସ, ରୋମାନି ଦାସ, ଅପେକ୍ଷା ଦାସ, ହର୍ଷିତା ମହାନ୍ତି, ଶୁଭଲକ୍ଷ୍ମୀ ଦାସ, ସ୍ଥିତିକ୍ଷା ଦାସ, ସାଇସୋହାନି ଦାସ ପ୍ରମୁଖଙ୍କ ସମେତ ଗ୍ରାମବାସୀ ରଜ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସନ୍ଧ୍ୟାରେ ପିଲାମାନଙ୍କ ମଧ୍ୟରେ ନୃତ୍ୟ ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ