ଝାଡାବାନ୍ତି ସମସ୍ୟା
-
ଭୁବନେଶ୍ୱର,୧୪ ଜୁନ୍ - ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ସେ କହିଛନ୍ତି ଯେ ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଝାଡାବାନ୍ତି ଦେଖାଦେଇଛି। କଟକ ସଦରର ଝିଙ୍କିରିଆ ଗ୍ରାମ ପଂଚାୟତରେ ବି କିଛି ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତେବେ ଯାଜପୁରର ୮ ଜଣଙ୍କୁ ଛାଡ଼ି ଆଉ କୌଣସି ରୋଗୀ ଙ୍କ ନମୁନାରେ କୋଲେରା ଚିହ୍ନଟ ହୋଇନାହିଁ। କେନ୍ଦ୍ରରୁ ୧୪ ଜଣିଆ ଟିମ ଆସି ଆସନ୍ତାକାଲି ଘଟଣା ସ୍ଥଳ ପରିଦର୍ଶନ କରିବେ। ସେମାନଙ୍କ ମଧ୍ୟରେ ଆଇସିଏମଆର, ଏନସିଡିସି, ଡବ୍ଲୁଏଚଓ, ଖାଦ୍ୟ ନିରାପତା ସଦସ୍ୟ ରହିବେ। ସେହିପରି ଆସନ୍ତାକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଘଟଣା ସ୍ଥଳକୁ ଯିବେ। ଆଜି ସକାଳ ଯାଏଁ ଯାଜପୁରରୁ ୨୧୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଯେଉଁ ୫ ଜଣଙ୍କ ମୃତ୍ୟୁ ଖବର ଆସିଛି, ସେମାନଙ୍କ ଅଟୋସପି ରିପୋର୍ଟକୁ ଅପେକ୍ଷା କରାଯାଇଛି। ସଂଗୃହିତ ନମୁନାରୁ ବିଷାକ୍ତ ଜଳର ପ୍ରମାଣ ମିଳିଛି। ସେହିପରି ଖାଦ୍ୟ ବି ବିଷାକ୍ତ ଥିବା ଜଣା ପଡ଼ିଛି। ଯାହା କୁ ଯାଂଚ କରୁଛି ଖାଦ୍ୟ ସୁରକ୍ଷା ବିଭାଗ। ଗତକାଲି ନିଜେ ପଂଚାୟତିରାଜ ସଚିବ ଘଟଣା ସ୍ଥଳରେ ସମୀକ୍ଷା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା