ଦିବଂଗତ ଧରମ୍ ସିଂ ଥିଲେ ନିରବ ତପସ୍ୱୀ, ଶ୍ରଦ୍ଧାଞ୍ଜଳି ବୈଠକରେ ମୂଲ୍ୟାଙ୍କନ
ଭଦ୍ରକ, ୧୮ ଜୁନ୍ (ହି.ସ.) - ବ୍ୟକ୍ତିଗତ ଭୋଗବିଳାସ ତ୍ୟାଗକରି, ସମୟ ଓ ସମ୍ବଳ ବିନିଯୋଗ କରି ସମାଜସେବାରେ ଜୀବନ ବିତେଇଦେବା ଭଳି ମଣିଷ ସଂସାରରେ ଖୁବ୍ କମ୍ ମିଳନ୍ତି। ସେମିତି ଜଣେ ମହାତ୍ମା ଥିଲେ ଦିବଂଗତ ଧରମ୍ ସିଂ। ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟସେବା ଓ ଆଧ୍ୟାତ୍ମିକ ଚେତନାର ସେ ଥିଲେ ଅନନ୍ୟ ବାର୍ତା
DHARAM SINGH SRADHANJALI BAITHAK


ଭଦ୍ରକ, ୧୮ ଜୁନ୍ (ହି.ସ.) - ବ୍ୟକ୍ତିଗତ ଭୋଗବିଳାସ ତ୍ୟାଗକରି, ସମୟ ଓ ସମ୍ବଳ ବିନିଯୋଗ କରି ସମାଜସେବାରେ ଜୀବନ ବିତେଇଦେବା ଭଳି ମଣିଷ ସଂସାରରେ ଖୁବ୍ କମ୍ ମିଳନ୍ତି। ସେମିତି ଜଣେ ମହାତ୍ମା ଥିଲେ ଦିବଂଗତ ଧରମ୍ ସିଂ। ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟସେବା ଓ ଆଧ୍ୟାତ୍ମିକ ଚେତନାର ସେ ଥିଲେ ଅନନ୍ୟ ବାର୍ତାବହ। ତାଙ୍କ ଉଦ୍ୟମରେ ଚରମ୍ପା ଠାରେ ଶ୍ରୀମା-ଅରବିନ୍ଦ ପାଠଚକ୍ର, ଅରବିନ୍ଦ ନିଶୁଳ୍କ ଚିକିତ୍ସା କେନ୍ଦ୍ର, ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଶ୍ରୀମା ସଙ୍ଗୀତ ମହାବିଦ୍ୟାଳୟ, ମାତୃପଲ୍ଲୀ ଆଦି ଅନେକ ଅନୁଷ୍ଠାନ ସୃଷ୍ଟି ହୋଇଥିଲା। ରାଜ୍ୟରେ ତଥା ରାଜ୍ୟ ବାହାରେ ପ୍ରତିଷ୍ଠିତ ଅନେକ ଶିକ୍ଷା ଓ ଧର୍ମ ଅନୁଷ୍ଠାନର ସେ ପୃଷ୍ଠପୋଷକତା କରୁଥିଲେ। ସେ ଥିଲେ ଦାନବୀର। କୌଣସି ସାମାଜିକ ସଂଗଠନ ହେଉ ଅଥବା ଜଣେ ଅଭାବୀ ସାଧାରଣ ମଣିଷ, କେହି ତାଙ୍କ ଦ୍ୱାରରୁ ରିକ୍ତ ହସ୍ତରେ ଫେରୁନଥିଲେ। ତାଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଭଦ୍ରକର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବ୍ୟକ୍ତିତ୍ୱର ଏମିତି ମୂଲ୍ୟାଙ୍କନ କରିଛନ୍ତି। ସୋମବାର ଦିନ ଅପରାହ୍ଣ ୪ ଘଟିକା ସମୟରେ ଚରମ୍ପା ସ୍ଥିତ 'ମହାୱର ଭବନ'ରେ ଏହି ଶ୍ରଦ୍ଧାଞ୍ଜଳି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିଥି ମାନଙ୍କୁ ଗୁପ୍ତା ପରିବାର ପକ୍ଷରୁ ସ୍ୱାଗତ କରିଥିଲେ ଅଶୋକ କୁମାର, ବିଜୟ କୁମାର ଗୁପ୍ତା, ମଦନଲାଲ୍ ଗୁପ୍ତା, ରତନଲାଲ୍ ଗୁପ୍ତା, ଇଂ ମନୀଷ ଗୁପ୍ତା, ଡଃ ଆକାଶ କୁମାର ଗୁପ୍ତା ଏବଂ ଇଂ ବିଭୋର ଗୁପ୍ତା। ଆରମ୍ଭରେ ଅତିଥି ମାନେ ସ୍ୱର୍ଗତ ସିଂ ଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ତାଙ୍କ ଆତ୍ମାର ସତ୍ ଗତି ପାଇଁ ପ୍ରାର୍ଥନା କରିଥିଲେ। ବୈଠକରେ ଅଧ୍ୟକ୍ଷତା କରିଥିଲେ ଆଇନଜୀବୀ ପବନ କୁମାର ଶର୍ମା। ସ୍ମୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ, ବିଶିଷ୍ଟ ସମାଜସେବୀ ଶେଖର ମହାପାତ୍ର, 'ରମା ସେବା ଆଶ୍ରମ'ର ସଭାପତି ରାଜକିଶୋର ଅଗ୍ରୱାଲ୍ ଓ ସମ୍ପାଦକ ରୋଟାରିୟାନ୍ ସୀତାକାନ୍ତ ଦାସ, ରୋଟାରିୟାନ୍ ଶିଶିର କୁମାର ମିଶ୍ର, 'ଶ୍ରୀମା-ଅରବିନ୍ଦ ଆଶ୍ରମ'ର ସଭାପତି ପ୍ରଫେସର୍ ଗୋଲକ ବିହାରୀ ସାହୁ, ସଦସ୍ୟ ଲକ୍ଷ୍ମୀଧର ଦାସ ଓ ପ୍ରଦୀପ ଜେନା, 'ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର'ର ଅଧ୍ୟକ୍ଷ ମହେନ୍ଦ୍ର ପ୍ରସାଦ ଯତି, 'ମହାୱର ସମାଜ'ର ପ୍ରତିନିଧି ହେମନ୍ତ କୁମାର ଗୁପ୍ତା, ଚାନ୍ଦବାଲିର ବିଶିଷ୍ଟ ଶିଳ୍ପପତି ସନ୍ତୋଷ ଅଗ୍ରୱାଲ୍‌, 'ମାହେଶ୍ୱରୀ ସମାଜ'ର କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ଲଖାନୀ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ପ୍ରଫେସର୍ ବିଜୟ କୁମାର ଜେନା। ଶେଷରେ ରୋଟାରିୟାନ୍ ବେଦପ୍ରକାଶ ଗୁପ୍ତା କୃତଜ୍ଞତା ଅର୍ପଣ କରିଥିଲେ। ଦିବଂଗତ ଧରମ୍ ସିଂ ୧୯୩୫ ମସିହା ଡିସେମ୍ବର ୨୨ ତାରିଖ ଦିନ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଓ ଚଳିତ ଜୁନ୍ ମାସ ୧୩ ତାରିଖ ଅପରାହ୍ନରେ ଚରମ୍ପା ସ୍ଥିତ ତାଙ୍କ ବାସଭବନରେ ଇହଲୀଳା ସମ୍ବରଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande