ଗଞ୍ଜାମ, ୧୮ ଜୁନ୍(ହି.ସ.) – ଗଞ୍ଜାମ ଜିଲ୍ଲା ଡେଙ୍ଗୁ ପ୍ରବଣ ଅଂଚଳ ରୂପେ ବିବେଚିତ। ବର୍ଷାଋତୁ ଆସିବା ମାତ୍ର ଜନସାଧାରଣଙ୍କୁ ଏଠାରେ ଡେଙ୍ଗୁ ଭୟ ଘାରିଥାଏ ଓ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଚିନ୍ତିତ କରିଦେଉଛି। ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସି ବର୍ଷା ମଧ୍ୟ ଲଗାତର ଚାଲିଛି। ଏହାସହ ଜିଲ୍ଲାରେ ଡେଙ୍ଗୁର ପ୍ରକୋପ ଦେଖାଦେଲାଣି। ସରକାରୀ ଭାବରେ ବର୍ତମାନ ସୁଦ୍ଧା ଜିଲାରୁ ସାତଜଣ ଡେଙ୍ଗୁ ପଜେଟିଭ ଭାବେ ଚିହ୍ନଟ ହୋଇଛନ୍ତି। ତେବେ ଏହି ସଂଖ୍ୟା ୨୦ରୁ ଉର୍ଦ୍ଧ୍ୱ ବୋଲି କୁହାଯାଉଛି। ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଂଚଳ ମଧ୍ୟ ଡେଙ୍ଗୁ, ମ୍ୟାଲେରିଆ ଓ ହଇଜା ସଂକ୍ରମଣ ପ୍ରବଣ ଅଂଚଳ ରୂପେ ଜଣାଶୁଣା। ଏହି ବ୍ଳକର ପିତଳ ବଜାରରେ ଜଣେ ଠିକାଦାର ସରକାରୀ ଡ୍ରେନ ଉପରେ ମାଟି ପକାଇ ତା’ ଉପରେ କାର ଓ ଜେସିବି ଇତ୍ୟାଦି ରଖିବା ଫଳରେ ଡ୍ରେନର ପଚାପାଣି ନିଷ୍କାଷିତ ନହୋଇ ସ୍ଥାନୀୟ ଅଂଚଳ ପୂତିଗନ୍ଧ ହେବାସହ ମଶା ମାଛିଙ୍କ ବଂଶବିସ୍ତାର ହେବାରେ ଲାଗିଛି। ଫଳରେ ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଡ୍ରେନରୁ ମାଟି ସଫେଇ କାର୍ଯ୍ୟକରି ପଚାପାଣି ନିଷ୍କାସିତ ହେବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ସରପଂଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଘଟଣା ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ଶେରଗଡ଼ ତହସିଲଦାର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି।
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ