କେନ୍ଦୁଝର, 18 ଜୁନ୍ (ହି.ସ.) ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଆଜି କେନ୍ଦୁଝର ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲଠାରେ ଜିଲ୍ଲାର ତ୍ରିସ୍ତରୀୟପଞ୍ଚାୟତ ଓ ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦର ଭୋଟର ତାଲିକା, ଇଭିଏମ୍, ବାଲାଟ୍, ଖର୍ଚ୍ଚ ଆଦିର ସ୍ଥିତି ନେଇ ସମୀକ୍ଷା କରିଛନ୍ତି।
ଉକ୍ତ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀଙ୍କ ସମେତ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରକାଶ କୁମାର ସେଠୀଙ୍କ ସମେତ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ନିର୍ବାହୀ ଅଧିକାରୀ ତଥା ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀମାନେ ଯୋଗଦେଇଥିଲେ | ଗତ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍ ଏବଂ ଖର୍ଚ୍ଚ ହୋଇଥିବା ଅର୍ଥ ବାବଦରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ।
ଗତ ନିର୍ବାଚନରେ ହୋଇଥିବା ଅସ୍ଥାୟୀ ବୁଥ୍ ଗୁଡ଼ିକକୁ ସ୍ଥାୟୀ କରିବାକୁ ଜିଲ୍ଲାପାଳଙ୍କୁ
ନିର୍ଦ୍ଦେଶ ଦେବା ସହ ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ, ପୌରପାଳିକା ଓ ଏନଏସିର କାଉନସିଲର, ଅଧ୍ୟକ୍ଷ ଆଦି ପଦବୀର ବିଭିନ୍ନ ବର୍ଗ ଓ ସଂଖ୍ୟା, ମହିଳା, ପୁରୁଷ, ସଂରକ୍ଷିତ, ଅଣସଂରକ୍ଷିତ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାପରେ ଶ୍ରୀ ପାଢ଼ୀ ଭଣ୍ଡାର ଗୃହରେ ମହଜୁଦ ହୋଇ ରହିଥିବା ବାଲାଟ ବାକ୍ସର ସ୍ଥିତି ଅନୁଧ୍ୟାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA