କେନ୍ଦୁଝର, 18 ଜୁନ୍ (ହି.ସ.) ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଡେପୁଟି କଲେକ୍ଟର ଆପତ୍ତକାଳୀନ ଅଭିଳାଷ ପୁରୋହିତ, ଏନଡିଆରଏଫ ଇନ୍ସପେକ୍ଟର ଆର.ଏସ ରଣା, ପଙ୍କଜ ଖୁଲବେ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଟେବୁଲ ଟପ ଏକ୍ସରସାଇଜର ମୂଳ ଉଦ୍ଦେଶ୍ୟ ରହିଥିଲା ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା, ବାତ୍ୟା, ସାପକାମୁଡା, ବଜ୍ରପାତ ସମୟରେ ଜନସାଧରଣଙ୍କ ଧନ ଜୀବନକୁ ହ୍ରାସ କରିବା । କେନ୍ଦୁଝର ଜିଲ୍ଲାରେ ସଫଳଭାବେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ ,ବ୍ଲକ ସ୍ତରୀୟ ଓ ସମସ୍ତ ପୌରାଞ୍ଚଳର ଅଧିକାରୀ ମାନଙ୍କର କାର୍ଯ୍ୟଦକ୍ଷତା ଏବଂ କୁଶଳତାକୁ ସଠିକ ଭାବେ ବିକାଶ କରି ଉପଯୋଗ କରାଯିବା ପାଇଁ ଆଲୋଚନା ହୋଇଥିଲା। ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା କରିବା ପୂର୍ବରୁ ଏହାର ମୁକାବିଲା ପାଇଁ ବ୍ୟାପକ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବା ସହିତ ପ୍ରଭାବିତ ଜନସାଧରଣଙ୍କୁ ଖାଦ୍ୟ, ଔଷଧ, ପାନୀୟ ଜଳ, ଚୁଡ଼ା, ଗୁଡ଼ ମହଜୁଦ ରଖିବା ଓ ସଠିକ ଭାବରେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ବିପର୍ଯ୍ୟୟ ସମୟରେ ସବୁ ବିଭାଗର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ବିଶେଷଜ୍ଞ ଶ୍ରୀ ସୁମନ୍ତ ବାନାର୍ଜୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଆସନ୍ତା କାଲି ସକାଳ ବିପର୍ଯ୍ୟୟ ସମୟରେ ଉଦ୍ଧାରକାର୍ଯ୍ୟ କିପରି କରାଯାଇପାରିବ ସେ ସଂପର୍କରେ ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ ଦ୍ୱାରା ମକ୍ ଡ୍ରିଲ କରାଯିବ ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA