ଧର୍ମଶାଳା,୧୮ଜୁନ୍(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ରାଜ କିଶୋର ପାଢୀ ମର୍ଯ୍ୟାଦା ଜନକ କେନ୍ଦ୍ରିୟ ବାଲ ସାହିତ୍ୟ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି । ଡ. ପାଢୀଙ୍କ ଦ୍ୱାରା ରାଚିତ କବିତା ପୁସ୍ତକ “ କେତେ ଫୁଲ ଫୁଟିଛି” ପାଇଁ ଏହି ମାର୍ଯ୍ୟାଦାଜନକ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି । ଶ୍ରୀ ପାଢୀ ୧୯୪୨ ମସିହା ମାର୍ଚ୍ଚ ମାସରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିତା ସ୍ୱର୍ଗତ ଗଙ୍ଗାଧର ପାଢୀ ଓ ମାତା ସୁଭଦ୍ରା ପାଢୀଙ୍କ ପୁତ୍ର ରାଜକିଶୋର ଶିକ୍ଷକତା ବୃତିରୁ ଅବସର ନେଇଥିବା ବେଳେ ଜଣେ କୃତି ଶିକ୍ଷକ ଭାବରେ ରାଜ୍ୟପାଳ ପୁରସ୍କାର ପାଇବା ସହ ୨୦୧୧ ମସିହାରେ ଶିଶୁ କାହାଣୀ ପୁସ୍ତକ କଥା କଳସ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ଶ୍ରୀ ପାଢୀ ଏଯାବତ ୮୦ଟି ପୁସ୍ତକ ରଚନା କରିଥିବା ବେଳେ ଶିଶୁ କବିତା , ଶିଶୁ ଗଳ୍ପ, ଆଧୁନିକ କବିତା,କ୍ଷୁଦ୍ର ଗଳ୍ପ, ବଙ୍ଗଳାରୁ ଓଡିଆ ଅନୁବାଦ ଉପନ୍ୟାସ ପ୍ରଭୃତି ଉପାଦେୟ ପୁସ୍ତକ ରଚନା କରିଛନ୍ତି । ସମ୍ମାନ ଜନକ ଓଡିଶା ବାଲ ସାହିତ୍ୟ ପୁରସ୍କାର ପାଇବା ଲାଗି ଡ. ପାଢୀ ମାନୋନିତ ହୋଇଥିବାରୁ ଧର୍ମଶାଳା ଅଂଚଳର ସାହିତ୍ୟିକ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଏଥିଲାଗି ଡ. ପାଢୀଙ୍କୁ କବି ପ୍ରଶାନ୍ତ କୁମାର ସ୍ୱାଇଁ, ରମାକାନ୍ତ ଜେନା, ଅଖିଳ କୁମାର ସ୍ୱାଇଁ, ବିଜୟ କୁମାର ଦେବତା, କାହ୍ନୁ ଚରଣ ଦାଶ, ସଂଗ୍ରମ ଜେନା, ବିଜୟ କୁମାର ନାୟକ, ଗୋଲକ ଚନ୍ଦ୍ର ପଲେଇ,ସାମ୍ବାଦିକ ଇନ୍ଦ୍ରମଣି ନାୟକ,ବିବେକ ରାୟ, କବୟତ୍ରୀ ଡ. ଇନ୍ଦୁପ୍ରଭା ସାମଲ.ଯୁଧୀଷ୍ଠିର ସ୍ୱାଇଁ, ବେଣୁଧର ନାୟକ,ପ୍ରେମଲତା ମହାରଣା ଓ ନୃସିଂହ ଚରଣ ମିଶ୍ର ପ୍ରମୁଖ ଶୁଭେଛା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ