ପୁରୀ, ୧୯ ଜୁନ୍ (ହି.ସ.)- ଚକ୍ରତୀର୍ଥ ରୋଡ଼ ସ୍ଥିତ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଯୋଗାସନ ସ୍ପୋର୍ଟ ଆସୋସିଏସନ ଅଫ ଓଡିଶାଙ୍କ ଦ୍ୱାରା ଆୟୋଜିତ ୯ ଦିନ ବ୍ୟାପି ପ୍ରଥମ ରାଜ୍ୟସ୍ତରୀୟ ଯୋଗାସନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଗତ ତେର ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଗାସନ ପ୍ରଶିକ୍ଷଣରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଯୋଗ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ । ଓଡିଶା ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗର ସହଯୋଗ ଏବଂ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ପ୍ରତ୍ଯକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏହି ପ୍ରଶିକ୍ଷଣରେ ଆସୋସିଏସନର ସଭାପତି ଦିବାକର ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗର ବରିଷ୍ଠ ପ୍ରୋଗ୍ରାମ ଅଧିକାରୀ ହରେଶ ମିଶ୍ର ଉଦଯାପନୀ ଦିବସରେ ଅଥିତି ଭାବେ ଯୋଗଦେଇ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ପୋର୍ଟ୍ସ ଆସୋସିଏସନର ସମ୍ପାଦକ ମନୋଜ କୁମାର ମୁଖାର୍ଜୀ, ସହ ସମ୍ପାଦକ ଡ଼ଃ ଆଲୋକ କୁମାର ସ୍ୱାଇଁ, ମମତାମୟୀ ସାହୁ, ଉପସଭାପତି ବିଥିକା ମହାନ୍ତି, ପ୍ରକାଶ କୁମାର ଗୋଛିକାର, ଗିରିଜା ଶଙ୍କର ଶତପଥୀ, ପଦ୍ମଲୋଚନ ଦାଶ, ଜୟନ୍ତୀ ସେଠି, ଡ଼ଃ ଶାନ୍ତିମତି ଦାଶ, ଶଶିକାନ୍ତ ଖୁଣ୍ଟିଆ ଓ ଚନ୍ଦ୍ରକାନ୍ତ ବାରିକ ପ୍ରମୁଖ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ