ଭୁବନେଶ୍ୱର ,୧୯ ଜୁନ(ହି.ସ.) - କଂଗ୍ରେସ ଦଳ ନାରୀ ସୁରକ୍ଷାକୁ ନେଇ ଯେଉଁଭଳି ଭାବେ ଦିଲ୍ଲୀ ଦରବାରରେ ପ୍ରଶ୍ନ ଉଠାଇଛି ଏହା ସୈତାନର ବେଦ ପାଠ ସଦୃଶ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶର୍ଯ୍ୟା ବିଶ୍ୱାଳ କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେମାନଙ୍କ ମାନସିକ ଦେବାଳୟପଣ ଏପରି ବଢ଼ିଯାଇଛି ଯେ, ଯାହାଫଳରେ ସେମାନେ ଆଉ ଓଡ଼ିଶାରେ ପ୍ରଶ୍ନ ପଚାରିବାକୁ ସାହାସ କରୁନାହାନ୍ତି। ଦଳର ମୁଖିଆଙ୍କ ପାଖ ଲୋକ ହୋଇ କେମିତି ପୁନର୍ବାର ସଭାପତି ଦୌଡ଼ରେ ରହିବେ ସେନେଇ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଗତ ୨୪ ବର୍ଷ ଧରି ବିଜେଡି ସରକାରରେ ଥିଲା, ଏହା ପୂର୍ବରୁ କଂଗ୍ରେସ ଦଳ ସରକାରରେ ଥିଲା। ମାତ୍ର ନାରୀ ସୁରକ୍ଷା ପାଇଁ ଉଭୟ ଦଳ କୌଣସି ପଦକ୍ଷେପ ନେଇ ନ ଥିଲେ। ଏବେ ନାରୀ ସୁରକ୍ଷା ପାଇଁ ବେଦ ପାଠ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। କଂଗ୍ରେସ ସରକାରରେ ଥିଲାବେଳେ ନାରୀ ସୁରକ୍ଷା ପାଇଁ ଯେଉଁ ଭଳି ହୀନ କାର୍ଯ୍ୟ କରିଥିଲା ତା’ର ଫଳ ସୂରୁପ ସାଧାରଣ ନିର୍ବାଚନରେ ୧୦୦ଟି ବିଧାସଭା ଆସନରୁ ଅମାନତ ହରାଇଛି। ଏବେ ଦଳର ଗୋଷ୍ଠୀ କନ୍ଦଳକୁ ଲୁଚାଇବାକୁ ଯାଇ ଗୋପାଳପୁର ଗଣଦୁଷ୍କର୍ମ ପ୍ରସଙ୍ଗରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଭକ୍ତ ଗଠନ କରିଛନ୍ତି। ଝାଡ଼ଖଣ୍ଡର ରାଂଚିରେ କଂଗ୍ରେସ ଦଳର ସରକାର ରହିଛି। କିଛି ଦିନ ତଳେ ସେଠାରେ ଏକ ୬ ଜଣ ମହିଳାଙ୍କୁ ଏକାବେଳେ ଗଣଦୁଷ୍କର୍ମ ହୋଇଥିଲା। ମାତ୍ର ସେମାନଙ୍କ ବିରୋଧରେ କଂଗ୍ରେସ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି? ସୁପ୍ରିମ କୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ ଯେ, ଦୁଷ୍କର୍ମ ମାମଲାରେ କିମ୍ବା ଏଭଳି ଅପରାଧିକ ଘଟଣାରେ ପୀଡ଼ିତା ନାମ ଅବା ଠିକଣା ପ୍ରଘଟ କରଯିବା ନାହଁ। କୌଣସି ଗଣମାଧ୍ୟମରେ ଏହା ପ୍ରକାଶ କରଯିବ ନାହିଁ। ଏଥିପାଇଁ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ଆଇନ୍ ରହିଛି। ମାତ୍ର କଂଗ୍ରେସ ଦଳ ଏହି ନିୟମକୁ ଉଲ୍ଲଂଘନ କରି କେବଳ ଫଟୋ ଉଠାଇବା ପାଇଁ ସେଠାକୁ ଯାଉଛନ୍ତି। ଏନେଇ ଓଡ଼ିଶା ପୋଲିସ ସେମାନଙ୍କ ବିରୋଧରେ ପୌଜଦାରୀ ମୋକଦ୍ଦମା ରୁଜୁ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।
ମାତ୍ର ମୋହନ ସରକାରଙ୍କ କାର୍ଯ୍ୟକାଳରେ ଗତ ବର୍ଷକ ମଧ୍ୟରେ ଯେଉଁଠାରେ ବି ଗଣଦୁର୍ଷ୍କମ ଅବା ମହିଳାଙ୍କ ପ୍ରତି ଅସଦାଚାରଣ ହୋଇଛି ସେସବୁସ୍ଥାନରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡି ସରକାରଙ୍କ ଭଳି ଅପରାଧକୁ ଶଂଖ ଖୋଳପା ମଧ୍ୟରେ ରଖାଯାଇ ନାହିଁ। ଗୋପାପଳପୁର ମାମଲାରେ ସମସ୍ତ ଅପରାଧୀଙ୍କୁ ଜେଲ ପଠାଇ ଦିଆଯାଇଛି। ଏହା ଉପରେ ଅଧିକ ତଦନ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରାଇମବାଂଚକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ନାରୀ ସୁରକ୍ଷାକୁ ନେଇ ଦଳ ମତ ନିର୍ବିଶେଷରେ ଏକ ମତ ହୋଇ ଲଢ଼ିବାକୁ ପଡିବ। ଏ ପ୍ରସଙ୍ଗରେ ଅପରାଧି ଯିଏ ବି ହୋଇଥାଆନ୍ତୁ ନା କାହିଁକି ତାଙ୍କୁ କଠୋର ଦଣ୍ଡ ଦେବାକୁ ମୋହନ ସରକାର ସଂକଳ୍ପବଦ୍ଧ। ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭା ନେତ୍ରୀ ଡା. ବିଶ୍ୱାଳ କହିଛନ୍ତି।
............
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା