Bhubaneswar, 19 ଜୁନ୍ (ହି.ସ.)
ଓଡିଶା ଏବେ ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ
ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରନ୍ତୁ
ବିଜେପି ସରକାରରେ ଅପରାଧୀ ମାନେ ଭୟଶୂନ୍ୟ
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ମହିଳା ଓ ଶିଶୁମାନେ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ଅଭିଯୋଗ କରି ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁ, ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ସାଧାରଣ ସମ୍ପାଦିକା ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଗତ ଏକ ବର୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜ୍ୟ ସରକାର ମହିଳା ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ । ଅଧିକ ଅପରାଧ ଘଟୁଥିବା ରାଜ୍ୟ ମାନଙ୍କ ତାଲିକାରେ, ଓଡିଶା ଅଷ୍ଟମ ସ୍ଥାନ ହାସଲ କରିଛି ଓ ପ୍ରଥମ ଦଶଟି ରାଜ୍ୟ ମଧ୍ୟରେ ଆଠଟି ବିଜେପି ଶାସିତ ରାଜ୍ୟ ରହିଛି ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ରାଜ୍ୟବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ, ରାଜ୍ୟକୁ ସୁଶାସନ ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ କେବଳ ଲୋକଙ୍କୁ ଭ୍ରମିତ କରିବା ଲକ୍ଷ୍ୟରେ ପ୍ରଚାର ପ୍ରସାରରେ ମାତିଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ଅହେତୁକ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ବାରମ୍ୱାର ରାଜ୍ୟକୁ ଆସୁଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ଓ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ ଉପସ୍ଥିତି ସମୟରେ ଜଘନ୍ୟ ଅପରାଧ ମାନ ଘଟୁଛି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପରେ ପ୍ରଧାନମନ୍ତ୍ରୀ ଓଡିଶାକୁ ଆସିଥିଲେ ଭଲ ହୋଇଥାନ୍ତା । ରାଜ୍ୟର ଆଇନ ଶୃଙ୍ଖଳାର ସ୍ଥିତିକୁ ପ୍ରଧାନମନ୍ତ୍ରୀ ସମୀକ୍ଷା କରନ୍ତୁ । ଆଇନ ଶୃଙ୍ଖଳା ପରିସ୍ଥିତିରେ କିପରି ସୁଧାର ଆସିବ, ସେଥିପାଇଁ ପଦକ୍ଷେପ ନିଅନ୍ତୁ । ପ୍ରଧାନମନ୍ତ୍ରୀ ଆସିବେ ଆଉ ଯିବେ, କିନ୍ତୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଯେଉଁଠିକୁ ସେଇଠି ରହିବ । ରାଜ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ ବଢ଼ି ବଢ଼ି ଚାଲିଛି, କିନ୍ତୁ ରାଜ୍ୟ ସରକାର ମିଛ ସଫଳତାର ପ୍ରଚାରରେ ମାତିଛନ୍ତି । ବିଜେପିର ଓଡ଼ିଆ ଅସ୍ମିତା ସ୍ଲୋଗାନ୍ ପ୍ରହସନରେ ପରିଣତ ହୋଇଛି ।
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତି ସଫଳତାକୁ ପ୍ରଚାର କରିବା ପାଇଁ “ବର୍ଷ ଏକ ଉପଲବ୍ଧô ଅନେକ” ସ୍ଲୋଗାନ୍ ଦେଉଛନ୍ତି । ଅପରାଧ ପ୍ରବଣ ରାଜ୍ୟ ମାନଙ୍କ ଭିତରେ ଓଡିଶା ଅଷ୍ଟମ ସ୍ଥାନ ହାସଲ କରିବା ନିଶ୍ଚିତ ଭାବେ ରାଜ୍ୟ ବିଜେପି ସରକାରଙ୍କ ଏକ ଉପଲବ୍ଧô ବୋଲି କହି କଟାକ୍ଷ କରିଥିଲେ ଶ୍ରୀମତୀ ଛୁରିଆ । ଏହି ତାଲିକାରେ, ପ୍ରଥମ ଦଶଟି ରାଜ୍ୟ ମଧ୍ୟରେ ଆଠଟି ବିଜେପି ଶାସିତ ରାଜ୍ୟ ରହିଛି । ଗତ ଏକ ବର୍ଷରେ, ରାଜ୍ୟରେ ଦୁଷ୍କର୍ମ, ଅପହରଣ, ହତ୍ୟା ଇତ୍ୟାଦି ଉଦବେଗଜନକ ଭାବେ ବୃଦ୍ଧି ପାଇଛି । ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଗତ ଏକ ବର୍ଷରେ ରାଜ୍ୟରେ ୩୦୫୪ରୁ ଊଦ୍ଧ୍ୱର୍ ଦୁଷ୍କର୍ମ ହୋଇଛି । ରାଜ୍ୟରେ ମହିଳା ଓ ଶିଶୁ କେତେ ଅସୁରକ୍ଷିତ, ଏହି ତଥ୍ୟରୁ ସ୍ପଷ୍ଟ ଅନୁମେୟ ।
ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମହିଳା ଓ ଶିଶୁ ମାନଙ୍କ କେସ୍କୁ ପଞ୍ଜିକୃତ କରିବା ପାଇଁ ରାଜ୍ୟର ୬୦୦ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ସ୍ଥାପନ କରାଯାଇଥିଲା । ସେଗୁଡିକ ଏବେ କାର୍ଯ୍ୟକ୍ଷମ ନାହିଁ, ଫଳସ୍ୱରୂପ ନିର୍ଯାତନାର ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ଅଭିଯୋଗ ଦାଖଲ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଅପରାଧୀ ମାନେ ଭୟଶୂନ୍ୟ ହୋଇପଡିଛନ୍ତି । ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ନିଦରୁ ଉଠନ୍ତୁ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ସ୍ଥିତିରେ ଶୀଘ୍ର ସୁଧାର ନଆସିଲେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା