ଜୟପୁର, ୧୯ ଜୁନ୍ (ହି.ସ.)- ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ଦାଶଙ୍କ ଲିଖିତ ପ୍ରବନ୍ଧ ପୁସ୍ତକ ‘ଅବବୋଧର ଆଦ୍ୟଲିପି’ର ପାଠକାର୍ପଣ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କେସିସି ବ୍ୟାଙ୍କ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ଅଦିବାସୀ ଗବେଷକ ଡ.ରାଜେନ୍ଦ୍ର ପାଢ଼ି ଏବଂ ଆକାଶବାଣୀର ବରିଷ୍ଠ ଉଦ୍ଘୋଷକ ସ୍ମୃତିକୁମାର ପଣ୍ଡା ସମୀକ୍ଷକ ଭାବେ ଯୋଗ ଦେଇଥିଲେ। ସେମାନେ କହିଥିଲେ ଯେ, ଶ୍ରୀ ଦାଶଙ୍କ ପୁସ୍ତକ ଅନନ୍ୟ। ଏଥିରେ ସାମାଜିକ ମୂଲ୍ୟବୋଧ ଭରିରହିଛି। ସମାଜରେ ସଂସ୍କାର ଆଣିବା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଖୁବ୍ ସରଳ ଭାଷାରେ ଶ୍ରୀ ଦାଶ ନିଜ ଜୀବନାନୁଭୂତିକୁ ଉଲ୍ଲେଖ କରିଛନ୍ତି। ପ୍ରତିଟି ଚିତ୍ର ଏବଂ ଚରିତ୍ର ଅତ୍ୟନ୍ତ ନିଖୁଣ ଭାବେ ଉପସ୍ଥାପନ କରାଯାଇଛି। ବରିଷ୍ଠ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଲକ୍ଷ୍ମୀକାନ୍ତ ପାଢ଼ିଙ୍କ ସମ୍ପାଦନାରେ ପ୍ରକାଶିତ ଏହି ପୁସ୍ତକ ନିଶ୍ଚୟ ପାଠକୀୟ ସ୍ବୀକୃତି ଲାଭ କରିବ ବୋଲି ନିଜ ମତ ରଖି କହିଥିଲେ ବହୁ ସାରସ୍ବତ ସାଧକ। ସେମାନଙ୍କ ମଧ୍ୟରେ ଥିଲେ ଡ.ପ୍ରଦୀପ କୁମାର ମିଶ୍ର, ଡ. ମନୋରଞ୍ଜନ ପ୍ରଧାନ, ଡ.ସୁଧାଂଶୁ ପଟ୍ଟନାୟକ, ପ୍ରେମାନନ୍ଦ ଦାଶ, ପ୍ରକାଶ ମହାନ୍ତି, ପରେଶ ରଥ, ବିପିନ ମହାରଣା, ପ୍ରଭାକର ପ୍ରଧାନ ପ୍ରମୁଖ।
ଆକାଶବାଣୀର ବରିଷ୍ଠ ଉଦ୍ଘୋଷକ ରଘୁନାଥ ବିଶ୍ବାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ.ସୁରେଶ ଦାସ, ପ୍ରକାଶ ମହାନନ୍ଦିଆ, ଚନ୍ଦ୍ରକାନ୍ତ ବିଶ୍ବାଳ, ହରିହର କରସୁଧା ପଟ୍ଟନାୟକ, ଶ୍ରୀନାଥ ମିଶ୍ର, ସୁଧାକର ପଟ୍ଟନାୟକ, ମୁରଲୀ ପଟ୍ଟନାୟକ, ମଦନମୋହନ ନାୟକ, ମଧୁସୂଦନ ମିଶ୍ର, ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସୁରଭି ସାହୁ, ବିଜୟଲକ୍ଷ୍ମୀ ସ୍ବାଇଁ, ଅଶୋକ ମହାରଣା ଏବଂ ରାଜେଶ ରାୟ ପ୍ରମୁଖ ଶ୍ରୀ ଦାଶଙ୍କ କୃତୀର କିଛି ଚର୍ଚ୍ଚିତ ଅଂଶ ପାଠ କରିଥିଲେ। ଏହି ଅବସରରେ ଦୁଇ ସମୀକ୍ଷକଙ୍କ ସମେତ ସଂଯୋଜକ ଏବଂ ପୁସ୍ତକର ସମ୍ପାଦନା କରିଥିବା ଶ୍ରୀ ପାଢ଼ିଙ୍କୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଲେଖକ ଶ୍ରୀ ଦାଶ ନିଜ ସାହିତ୍ୟ କୃତୀ ସମ୍ପର୍କରେ ଅଲୋକପାତ କରିଥିଲେ। ପୁସ୍ତକ ଲେଖିବାରେ ସହଧର୍ମିଣୀ ଲୀନା ନନ୍ଦ ଓ ଝିଅ ଆରିୟା ଆୟୁଷ୍ମିତାଙ୍କ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ନିରଞ୍ଜନ ପାଣିଗ୍ରାହୀ, ସୁକାନ୍ତ ବେହେରା, ସୁରେଶ ପ୍ରଧାନ ପ୍ରମୁଖ।
ହିନ୍ଦୁସ୍ଥାନ ସମାଚାର / ପିକେପି