ସହିଦ କର୍ଣ୍ଣେଲ ସୋମନାଥ ମିଶ୍ରଙ୍କ ଜନ୍ମମାଟି ଚମ୍ପୁଆରେ ଗାର୍ଡ ଅଫ ଓନୋର ସହ ଶେଷକୃତ୍ୟ ସମ୍ପର୍ଣ୍ଣ
ଚମ୍ପୁଆ, ୧୯ ଜୁନ୍ (ହି.ସ.) - ଚମ୍ପୁଆର ବୀରପୁତ୍ର ସହିଦ କର୍ଣ୍ଣେଲ ସୋମନାଥ ମିଶ୍ରଙ୍କ ମରଶରୀର ଆଜି ଜନ୍ମମାଟି ଚମ୍ପୁଆରେ ପହଂଚିବା ପରେ ଶୋକାକୁଳ ପରିବେଶରେ ଗାର୍ଡ ଅଫ ଓନୋର ସହ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଗତ ୧୭ ତାରିଖ ଦିନ ଦିଲ୍ଲୀ ର ଆର୍ମି ବେସ ହସପିଟାଲରେ କର୍ଣ୍ଣେଲ ସୋମନାଥ ଶେଷ ନିଶ୍ୱାସ
ସହିଦ କର୍ଣ୍ଣେଲ ସୋମନାଥ ମିଶ୍ରଙ୍କ ଜନ୍ମମାଟି ଚମ୍ପୁଆରେ ଗାର୍ଡ ଅଫ ଓନୋର ସହ ଶେଷକୃତ୍ୟ ସମ୍ପର୍ଣ୍ଣ


ଚମ୍ପୁଆ, ୧୯ ଜୁନ୍ (ହି.ସ.) - ଚମ୍ପୁଆର ବୀରପୁତ୍ର ସହିଦ କର୍ଣ୍ଣେଲ ସୋମନାଥ ମିଶ୍ରଙ୍କ ମରଶରୀର ଆଜି ଜନ୍ମମାଟି ଚମ୍ପୁଆରେ ପହଂଚିବା ପରେ ଶୋକାକୁଳ ପରିବେଶରେ ଗାର୍ଡ ଅଫ ଓନୋର ସହ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଗତ ୧୭ ତାରିଖ ଦିନ ଦିଲ୍ଲୀ ର ଆର୍ମି ବେସ ହସପିଟାଲରେ କର୍ଣ୍ଣେଲ ସୋମନାଥ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେଠାରୁ ତାଙ୍କର ମରଶରୀର ବିମାନ ଯୋଗେ ଆସି ଗତରାତି ଭୁବନେଶ୍ୱର ରେ ପହଂଚିବା ପରେ ସେଠାରୁ ଆସି ଆଜି ସକାଳେ ଚମ୍ପୁଆ ରେ ପହଂଚିଥିଲା । ଚାନ୍ଦିପୁର ବାଲେଶ୍ୱରରୁ ଲେଫ୍ଟନାଂଟ କର୍ଣ୍ଣେଲ ସନ୍ତୋଷ କୁମାର ପଣ୍ଡା ଓ ବିହାର ରେଜିମେଂଟର ଲେଫ୍ଟନାଂଟ କର୍ଣ୍ଣେଲ ଆଲୋକ ବସୁଙ୍କ ତତ୍ୱାବଧାନରେ ସହିଦଙ୍କ ମରଶରୀର ଚମ୍ପୁଆରେ ପହଂଚିବା ପରେ ତାଙ୍କର ମରଶରୀରକୁ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବାସସ୍ଥାନକୁ ନିଆ ଯାଇଥିଲା । ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଏସଡିପିଓ ରଶ୍ମି ରଂଜନ ସାହୁ, ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ତହସିଲଦାର ସଜ୍ଜତ ମାର୍କେ, ଆଇଆଇସି ରମାକାନ୍ତ ମୁଦୁଲି, ଚମ୍ପୁଆ ଅବସରପ୍ରାପ୍ତ ସାମରିକ ସଂଘର ସଦସ୍ୟ ମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବର୍ଷା ଲାଗିରହିଥିବା ସତ୍ୱେ ବହୁ ସଂଖ୍ୟାରେ ଜନସାଧାରଣ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ଥାନୀୟ ବୈତରଣୀ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକ ମାତ୍ର ନାବାଳକ ପୁତ୍ର ତାଙ୍କୁ ମୁଖାଗ୍ନି ଦେଇଥିଲେ । ଚମ୍ପୁଆ ବୀର ଧନୁର୍ଜୟନାରାୟଣପୁର ଶାସନର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସୁପୁତ୍ର ସହିଦ ସୋମନାଥ ମିଶ୍ର ୨୦୦୮ ମସିହା ଜୁନ୍ ସାତ ତାରିଖରେ ସେନାବାହିନୀରେ କମିଶନ ହେବା ପରେ ୧୭ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ। ନିଜ କର୍ମମୟ ଜୀବନରେ କର୍ଣ୍ଣେଲ ସୋମନାଥ ମିଳିତ ଜାତିସଂଘର ଶାନ୍ତି ସେନାରେ ଯୋଗ ଦେଇ ଆଫ୍ରିକା ମହାଦେଶର ଦକ୍ଷିଣ ସୁଡ଼ାନରେ କାର୍ଯ୍ୟ କରିଥିଲେ । ବର୍ତମାନ ସେ ୬୩ ରାଷ୍ଟ୍ରୀୟ ରାଇଫଲରେ କମାଣ୍ଡିଂ ଅଫିସର ଭାବେ ଜାମ୍ମୁ ର ରଜୌରୀରେ ମୁତୟନ ହୋଇଥିଲେ । ଜାମ୍ମୁକାଶ୍ମୀରର ରଜୌରିରେ ଆତଙ୍କ୍ୱାଦ ବିରୋଧୀ ଅଭିଯାନରେ ତାଙ୍କ ନେତୃତ୍ୱ ପ୍ରଶଂସନୀୟ ଥିଲା । ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦିଲ୍ଲୀର ଆର୍ମି ବେସ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande