ଜୟପୁର, ୧୯ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଛିଂଚି ନିକଟରେ ଥିବା ମିଶନ ଶକ୍ତି ତରଫରୁ ସ୍ଥାପନ ହୋଇଥିବା ଶୀତଳ ଭଣ୍ଡାର ସମ୍ପ୍ରତି ଅଚଳ ଅବସ୍ଥାରେ ପଡିଛି । ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହୋଇଥିବା ବେଳେ ସ୍ଥାପନ ଦିନରୁ କାର୍ଯ୍ୟରେ ଲାଗି ପାରିନାହିଁ । ଉକ୍ତ ଶୀତଳଭଣ୍ଡାର ଚାଲିବା ପାଇଁ ସୌରଚାଳିତ ବିଦ୍ୟୁତ ବ୍ୟବସ୍ଥା କରାଯାଇଛି । ଶୀତଳ ଭଣ୍ଡାର ବସିବା ଖବର ଅଂଚଳବାସୀଙ୍କ ମନରେ ବେଶ୍ ଖୁସି ଭରିଦେଇଥିଲା । ଏ ନେଇ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମା ଦୁର୍ଗାକୁ ଦାୟୀତ୍ୱ ଦିଆଯାଇଥିଲା ।
ସୂଚନା ଅନୁଯାୟୀ, ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ଯେ, ସ୍ଥାନୀୟ ଅଂଚଳବାସୀ ଚାଷ ଉପରେ ନିର୍ଭରଶୀଳ । ପରିବା ଚାଷକରି ପରିବାର ଚଳାଇଥାନ୍ତି । ମାତ୍ର ଅଧିକାଂଶ ସମୟରେ ଅଧିକ ଅମଳ ଯୋଗୁଁ ଦର କମି ଯାଇଥାଏ । ଏପରିକି ମୂଳ ପୁଞ୍ଜି ବାହାରିବା ତ ଦୂରର କଥା ପାରିଶ୍ରମିକ ବି ମିଳେନାହିଁ । ଚାଷି ଫସଲ ଅମଳ ନକରି କ୍ଷେତରେ ନଷ୍ଟ ହେବାକୁ ଛାଡିଦିଅନ୍ତି । ଏହାକୁ ଦୃଷ୍ଟିରେ ରଖି ବାରମ୍ବାର ଦାବି ସତ୍ୱେ ମିଶନ ଶକ୍ତି ପକ୍ଷରୁ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା । କିନ୍ତୁ, ଆଜି ତାହାର ମୂଲ୍ୟ ରହିଲା ନାହିଁ । ଅଭିଯୋଗ ଶୁଣିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ଏନେଇ ଉଦ୍ୟାନ ଓ କୃଷି ବିଭାଗକୁ ଅନୁରୋଧ କରିବା ପରେ ଡଙ୍ଗରଛିଂଚି ଗ୍ରାମ ରାସ୍ତା କଡରେ ଗତ ମାର୍ଚ୍ଚ ମାସ ୭ ତାରିଖ ୨୦୨୪ ରେ ଶୀତଳଭଣ୍ଡାର ନିର୍ମାଣ କରାଯାଇଥିଲା । ବିଧାୟକ ତାରାପ୍ରସାଦ ବାହିନୀପତି, ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲି, ବିଡିଓ ଶକ୍ତି ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଆସ୍ଥା ନାୟକ, ବ୍ଲକ ଉପାଧ୍ୟକ୍ଷ ଗଣେଷ ପାଢୀ, ସରପଂଚ କମଳ ଲୋଚନ ଗାଦବାଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା ।
ଉଦ୍ୟାନ ଓ କୃଷି ବିଭାଗୀୟ ଅଧିକାରୀ ସଞ୍ଜିବ ମହନ୍ତ କହିଛନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ଆମକୁ ଲିଖିତ ଭାବେ ଜଣାଇବା ପରେ ଆମେ ଶୀତଳ ଭଣ୍ଡାର ନିମନ୍ତେ ଟଙ୍କା ପ୍ରଦାନ କରିଥିଲୁ । ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଢେ ୪ ଲକ୍ଷ ଟଙ୍କା ଦେଇଥିବା ବେଳେ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଡଙ୍ଗରଛିଂଚି ଠାରେ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟୀତ୍ୱ ଦିଆଯାଇଛି । ସେମାନେ ସେହି ଶୀତଳଭଣ୍ଡାରର ରକ୍ଷଣା ବେକ୍ଷଣ ଦାୟୀତ୍ୱରେ ଅଛନ୍ତି । ଯଦି ଆଜି ଶୀତଳଭଣ୍ଡାରଟି ଖୋଲା ମେଲା ହୋଇ ପଡିଛି ତେବେ ସେଥିପାଇଁ ବ୍ଲକ ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠି ଦାୟୀ ଅଟନ୍ତି ବୋଲି କହିଥିଲେ । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ମୋ ନଜରରେ ଶୀତଳଭଣ୍ଡାରଟି ଖୋଲା ହୋଇ ପଡିଥିବା ମୁଁ ଜାଣିନାହିଁ ତୁରନ୍ତ ସେଠାରେ ଚାବି ପକାଇବା ସହ ପାଚେରୀ ନିର୍ମାଣ କରାଯିବ ବୋଲି କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ