ଗଞ୍ଜାମ, ୧୯ ଜୁନ୍ (ହି.ସ.)- ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଂଚର ଦୁଇଟି ଟିମ୍ ବ୍ରହ୍ମପୁରରେ ଦୁଇ ଦିନ ହେଲା ଡେରା ପକାଇ ତଦନ୍ତ କରୁଛନ୍ତି । ଗୋଟିଏ ଟିମ୍ ରେ ପୁରୁଷ ଅଧିକାରୀ ମାନେ ଥିବା ବେଳେ ଅନ୍ୟ ଏକ ଟିମ୍ ରେ ମହିଳା ଅଧିକାରୀ ମାନେ ରହି ତଦନ୍ତ କରୁଛନ୍ତି । ଆଜି ସକାଳୁ ପୀଡ଼ିତା ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗୋପାଳପୁର ଥାନାରେ ଘଂଟାଏରୁ ଅଧିକ ସମୟ ଧରି ଜେରା କରିଛନ୍ତି । ଅନ୍ୟପକ୍ଷରେ ଘଟଣାରେ ଜଡ଼ିତ ୬ ଜଣ ଯୁବକଙ୍କର ଡିଏନଏ ଟେଷ୍ଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏତଦ୍ ବ୍ୟତୀତ କ୍ରାଇମବ୍ରାଂଚ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରୁଛି ।
ଅଭିଯୋଗ ମୁତାବକ, ୧୫ ତାରିଖ ଅପରାହ୍ନରେ ବ୍ରହ୍ମପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଛାତ୍ର ବନ୍ଧୁଙ୍କ ସହ ସମ୍ପୃକ୍ତ ଛାତ୍ରୀ ଗୋପାଳପୁର ବୁଲିବାକୁ ଆସିଥିଲେ । ସଂନ୍ଧ୍ୟାରେ ପାନ୍ଥନିବାସ ବେଳାଭୂମି ନିକଟରେ ଉଭୟେ ବସି ଗପସପ କରୁଥିବା ବେଳେ ୧୦ ଜଣ ଯୁବକ ୩ଟି ମୋଟରସାଇକେଲରେ ବେଳାଭୂମିରେ ପହଂଚି ଥିଲେ । ସେମାନେ ସେଠାରେ ମଦ୍ୟପାନ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୁରୁଷ ବନ୍ଧୁ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ପରେ ପୀଡ଼ିତା ଏ ସଂକ୍ରାନ୍ତରେ ଗୋପାଳପୁର ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲା । ଘଟଣାରେ ଜଡ଼ିତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ