ଭୁବନେଶ୍ୱର, ୧୯ ଜୁନ (ହି.ସ.) – ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଗୁରୁବାର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ପଣ୍ଡାପଡ଼ା ପଂଚାୟତ ଅନ୍ତର୍ଗତ କେନ୍ତଳାପଶି ଗ୍ରାମର ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା କଲେଜ ଛାତ୍ରୀ ମୀରାରାଣୀର ପରିବାରବର୍ଗଙ୍କୁ ସାକ୍ଷାତ୍ କରି ସମବେଦନା ଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ଆଦିବାସୀ ଏବଂ ବିଡ଼ମ୍ବନାର ବିଷୟ, ମୋହନ ସରକାର ଅମଳରେ ଅନୁସୂଚିତ ଜାତି ଓ ଜନଜାତିବର୍ଗର ମହିଳାଙ୍କ ଉପରେ ଦିନକୁ ଦିନ ବର୍ବୋରଚିତ ଅତ୍ୟାଚାର ଓ ନିର୍ଯ୍ୟାତନା ବଢି ବଢି ଚାଲିଛି। ସେମାନେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ସ୍ଥିତି ଅଣାୟତ। କେନ୍ଦୁଝର ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଯିଏକି ଗୃହମନ୍ତ୍ରୀ ସେ ନିଜର ଦାୟିତ୍ୱ ସଠିକ୍ ଭାବେ ସମ୍ପାଦନ କରିପାରୁ ନାହାଁନ୍ତି।
କଲେଜ ଛାତ୍ରୀ ମୀରାରାଣୀର ୪ଜଣ ଦୁଷ୍କର୍ମକାରୀ ଏପର୍ଯ୍ୟନ୍ତ ଧରାପଡ଼ି ନାହାଁନ୍ତି ଏବଂ ପୋଲିସ୍ର ହାତ ଖାଲି ପଡ଼ିଛି। ଏହି ୪ଜଣ ଅପରାଧି ମୀରାରାଣୀଙ୍କୁ ଅପହରଣ କରି ଅତି ଅମାନବୀୟ ଭାବେ ଦୁଷ୍କର୍ମ କରିବା ସହିତ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ। ଏହି ବିଭତ୍ସ ଦୃଶ୍ୟକୁ ଲୋକେ ଦେଖି ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଥିଲେ। ଗଛରେ ଟଙ୍ଗା ହୋଇଥିବା ମୀରାରାଣୀଙ୍କ ଗୋଡ଼ଦେଇ ଧାର ଧାର ରକ୍ତ ବହି ଚାଲିଥିଲା। କଲେଜ ପଢୁଆ ଝିଅକୁ ହରାଇ ଗରିବ ପରିବାରଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଧରା ନପଡ଼ିବାରୁ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରାଧୀଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତାଛାତ୍ରୀଙ୍କ ପରିବାରବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ତୁରନ୍ତ କ୍ଷତିପୂରଣ ଦେବାକୁ ଶ୍ରୀ ଜେନା ଦାବି କରିଛନ୍ତି।
ସାରା ରାଜ୍ୟରେ ନାବାଳିକା ଓ ମହିଳାଙ୍କ ଉପରେ ଗଣଦୁଷ୍କର୍ମ ଓ ହତ୍ୟା ବଢିଚାଲିଛି। ରାଜ୍ୟରେ ୬୪ ହଜାର ମହିଳା ନିଖୋଜ ହୋଇଛନ୍ତି। ଦିନକୁ ୧୫ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ସେହିଭଳି ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ ମହିଳାଙ୍କୁ ୧୦ଜଣ ଦୁଷ୍କର୍ମ କରିବା ଅତ୍ୟନ୍ତ ସ୍ପର୍ଶକାତର ଘଟଣା। କଂଗ୍ରେସ ଦଳ ନାରୀଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରୁଛି, କିନ୍ତୁ ନାରୀକୁ ସୁରକ୍ଷା ଦେବା ବଦଳରେ ବିଜେପି ସରକାର କଂଗ୍ରେସ କର୍ମୀ ଓ ନେତାଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରୁଛନ୍ତି। ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ଯେତେବେଳେ କଂଗ୍ରେସ ଦଳ ଉଠାଉଛି, ସେତେବେଳେ ବିଜେପି ସରକାର ବିଚଳିତ ହୋଇ ପଡୁଛନ୍ତି। ତେଣୁ ରାଜ୍ୟରେ ତୁରନ୍ତ ନାରୀ ନିର୍ଯ୍ୟାତନା ବନ୍ଦ କରିବା ପାଇଁ ସରକାର ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଜେନା ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ