ଗଞ୍ଜାମ, ୧୯ ଜୁନ୍ (ହି.ସ.)- ବ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ସମାଜସେବୀ ଅନୁଷ୍ଠାନ ଲାୟନ୍ସ କ୍ଲବ୍ ବ୍ରହ୍ମପୁର ଗୋଲ୍ଡ ର ଆଲୋଚନା ସଭା ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଲାୟନ୍ସ ଇ. ଡିଲେଷୁ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କ୍ଳବ୍ ପ୍ରତିଷ୍ଠାତ୍ରୀ ତଥା କୋଷାଧ୍ୟକ୍ଷା ଲାୟନ୍ସ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ,ସମ୍ପାଦକ ଲାୟନ୍ସ ରୂପେଶ କୁମାର ମିଶ୍ର ଯୋଗଦାନ କରି ସଭା ଉଦ୍ଘାଟନ କରିଥିଲେ। ଏହି ଅବସରରେ ସମାଜ କ୍ଷେତ୍ରରେ ଏହି କ୍ଲବ୍ ର ଅବଦାନ ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନରେ ଏହି ସେବା ବିଶେଷ କରି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ, ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ପ୍ରତିଯୋଗିତା କରି ପୁରସ୍କୃତ କରାଯିବା ଉପରେ ଗୁରୁତ୍ୱଆରୋପ କରାଯାଇ ଆଗାମୀ ଦିନରେ ଏହି ସେବା ଅବ୍ୟାହତ ରହିବ ବୋଲି ସର୍ବସମ୍ମତି ମତ ପ୍ରକାଶ ପାଇଥିଲା।
ପ୍ରାରମ୍ଭରେ ଭାରତୀୟ ଜାତୀୟ ସଂଗୀତ ସମୁହ ଗାନ କରାଯାଇଥିଲା ଏବଂ ଅହମ୍ମଦାବାଦ ଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମତିରେ ସମବେଦନା ଜ୍ଞାପନ କରି ନିରବ ପ୍ରାର୍ଥନା କରାଯାଇଥିଲା। କ୍ଲବ୍ ର ନୂତନ ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଆଗାମୀ ୨୦୨୫ / ୨୦୨୬ ଏକ ବର୍ଷ ପାଇଁ ସଭାପତି ଭାବରେ ସହକାରୀ ପ୍ରଫେସର ଲାୟନ୍ସ ଲୋକନାଥ ପାତ୍ର, କୋଷାଧ୍ୟକ୍ଷା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ଏବଂ ସମ୍ପାଦକ ଭାବରେ ଲାୟନ୍ସ ଦିନବନ୍ଧୁ ଗୌଡଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇ ଶପଥ ପାଠ କରାଯାଇଥିଲା। ନୂତନ ସଭାପତି ଲାୟନ୍ସ ପାତ୍ର ଆଗାମୀ ଦିନରେ କମିଟି ଗଠନ କରିବାକୁ କହିଥିଲେ।
ଏହି ଆଲୋଚନା ସଭା ରେ ଲାୟନ୍ସ ଅମର କୁମାର ପାତ୍ର ଏବଂ ଦିନବନ୍ଧୁ ଶ୍ରୀପଲ୍ଲବଙ୍କ ପରିଚାଳନାରେ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ରୂପେଶ କୁମାର ମିଶ୍ର ସମ୍ପାଦକୀୟ ଉପସ୍ଥାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ